‘ରାଜ୍ୟ ସରକାର ନିଯୁକ୍ତି ସମ୍ପର୍କରେ ମିଥ୍ୟା କହିବା ବନ୍ଦ କରନ୍ତୁ’
ଲ ଲେସ୍ ନେସ୍ କାରଣରୁ ରାଜ୍ୟକୁ ନା ଆସୁଛି ନିବେଶ ନା ହେଉଛି ନିଯୁକ୍ତି।
ଓଏଲ୍ ବ୍ୟୁରୋ: ରାଜ୍ୟରେ ନିଯୁକ୍ତି ଏବଂ ଆଇନ ଶୃଙ୍ଖଳା ପରିସ୍ତିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ଭାରତରେ ନିଯୁକ୍ତିର ହାର ୬.୯୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଓଡ଼ିଶାରେ ୧୩.୬୫ ହ୍ରାସ ପାଇଛି। ଲ ଲେସ୍ ନେସ୍ କାରଣରୁ ରାଜ୍ୟକୁ ନା ଆସୁଛି ନିବେଶ ନା ହେଉଛି ନିଯୁକ୍ତି। ନିଯୁକ୍ତିର ନାଭିକେନ୍ଦ୍ର ଝାରସୁଗୁଡା ସେଠାରେ ଦିନବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲେ ବି କାରଣ ଜଣାପଡୁନାହିଁ ବୋଲି ଅଭିଯୋଗ କରିଛନ୍ତି ସତ୍ୟବ୍ରତ ପଣ୍ଡା।
ସେ ଆହୁରି ମଧ୍ୟ କହିଛନ୍ତି, ଖଣି ଅଂଚଳ ବଡବିଲରେ ଦିନବେଳେ ଗୁଳି ଫୁଟୁଛି, ଫଳରେ ଯୁବକମାନେ ମୃତ୍ୟୁବରଣ କରୁଛନ୍ତି। ଏଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରି କୌଣସି ନିବେଶକାରୀ ଓଡ଼ିଶା ଆସୁନାହାନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ଆତ୍ମସମୀକ୍ଷା କରନ୍ତୁ ଓ ନିଯୁକ୍ତି ସମ୍ପର୍କରେ ମିଥ୍ୟା କହିବାରୁ ବିରତ ରୁହନ୍ତୁ ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ ଆଣିଛନ୍ତି।