Odisha Link
Bridging the Missing Links in Odisha

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମଞ୍ଜୁର ହେଲା ୧୦ କୋଟି

ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି।

ଓଏଲ୍‌ ବ୍ୟୁରୋ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ହେବ ବିକାଶ। ବିକାଶ ପାଇଁ ୧୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ପଣ୍ଡିତ ରଘୁନାଥ ମୁର୍ମୁ ଅଲଚିକି ଲିପିର ଉଦ୍ଭାବକ। ପଣ୍ଡିତ ମୁର୍ମୁ ଅଲ ଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଥିଲେ।

ସେ ଜଣେ ଭାଷା ଓ ଲିପି ଗବେଷକ ଥିଲେ। ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା। ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ ‘ଗୁରୁ ଗୋମକେ’ ବୋଲି ମଧ୍ୟ ଡାକିଥାନ୍ତି। ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ (“ପ୍ରଣାଳୀ”), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା। ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା। ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ।

ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି। ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି। ତାଙ୍କ କାଳଜୟୀ କୃତୀ ପାଇଁ ସେ କେବଳ ସାନ୍ତାଳି ସମାଜ ନୁହେଁ, ସାରା ଦେଶର ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି।

Leave A Reply

Your email address will not be published.