ହିଂସାର ନିଆଁରେ ଜଳୁଛି ମଣିପୁର
ଓଏଲ୍ ବ୍ୟୁରୋ: ଅଶାନ୍ତ ମଣିପୁର। ଆଦିବାସୀ ଓ ଅଣଆଦିବାସୀ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁଁ ମଣିପୁରରେ ଜଳୁଛି ଅଶାନ୍ତିର ନିଆଁ।ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍ ବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଏବେ ମଣିପୁର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଏସବୁ ମଧ୍ୟରେ ଶୁଟ ଆଟ ସାଇଟ୍ ପ୍ରସ୍ତାବ ମଣିପୁର ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ପାଖକୁ ପଠା ଯାଇଥିଲା। ରାଜ୍ୟପାଳ ସ୍ଥିତିକୁ ଦେଖି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଥିସହ ସବୁ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସ୍ଥିତିକୁ ଦେଖି ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ଏବେ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉକି, ମେ’ ୩ ତାରିଖରେ ଆଦିବାସୀଙ୍କ ପକ୍ଷରୁ ଗୋଟିଏ ଶୋଭାଯାତ୍ରା କରାଯାଉଥିଲା। ଏହି ସମୟରେ ସେମାନଙ୍କ ଉପରେ ମୈତୈ ସଂପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ। ଫଳରେ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖାଯାଇଥିଲା। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।