ନିରାଶ ହେଲେ କୁସ୍ତିଯୋଦ୍ଧା, ବ୍ରିଜଭୂଷଣ ନାଁରେ ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ହେବନି ଶୁଣାଣି
ଖେଳାଳିମାନେ ଚଲାଇଥିବା ଏହା ଧାରଣା ନୁହେଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସାଂସଦ ବ୍ରିଜଭୂଷଣ ସିଂ କହିଥିଲେ।
ଓଏଲ୍ ବ୍ୟୁରୋ: ମହାସଂଘ ସଭାପତି ବ୍ରିଜଭୂଷଣ ନାଁରେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପ୍ରସଙ୍ଗରେ ସୁପ୍ରିମକୋର୍ଟର ବଡ ଶୁଣାଣି। ତଳକୋର୍ଟକୁ ଯିବାକୁ କୁସ୍ତିଯୋଦ୍ଧାଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ତଳକୋର୍ଟ କିମ୍ବା ହାଇକୋର୍ଟ ଯିବାକୁ କହି ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟର ଶୁଣାଣି ପରେ ନିରାଶ ହୋଇଛନ୍ତି କୁସ୍ତି ଯୋଦ୍ଧା।
ଖବର ଅନୁସାରେ, ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ଜନ୍ତରମନ୍ତରଠାରେ ଚାଲିଛି ଧାରଣା। ଦେଶ ପାଇଁ ମେଡାଲ ଆଣିଥିବା କୁସ୍ତି ଯୋଦ୍ଧାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧାରଣଗତ କୁସ୍ତି ଯୋଦ୍ଧା। ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ସୂଚନା।
ଅନ୍ୟପଟେ, ଦିଲ୍ଲୀ ପୁଲିସର ଅସହଯୋଗରେ ଅତିଷ୍ଠ ହୋଇ କାନ୍ଦିଲେ କୁସ୍ତି ଖେଳାଳି ବିନେଶ ଫୋଗଟ୍। କାନ୍ଦିବା ସହ କହିଥିଲେ ଯେ, ଆମକୁ ଯଦି ମାରିବାକୁ ଚାହୁଁଛନ୍ତିି ମାରିଦିଅନ୍ତୁ, ଏତେ ହଇରାଣ କରନ୍ତୁନି। ଏଇ ଦିନ ଦେଖିବାକୁ କ’ଣ ଆମ ଦେଶ ପାଇଁ ମେଡାଲ ଆଣିଥିଲୁ। ବିନେଶଙ୍କ ଏପରି ମନ୍ତବ୍ୟ କ୍ରୀଡା ପ୍ରେମୀଙ୍କୁ ଭାବବିହ୍ୱଳ କରିଛିି।
ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତି ଯୋଦ୍ଧାଙ୍କ ଦୁଃଖ ଦିନକୁ ଦିନ ବଢିବାରେ ଲାଗିଛି। ନିଜ ଉପରେ ହୋଇଥିବା ଅବିଚାର ବାବଦରେ ନ୍ୟାୟ ପାଇବାକୁ ବିଳମ୍ବ ହୋଉଥିବାବେଳେ ସେଠାରେ ପୁଲିସ ତାଙ୍କୁ ସହଯୋଗ କରୁନଥିବାରୁ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବାରେ ମଧ୍ୟ ପୁଲିସ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି ଖେଳାଳି।
ଭିନେଶ ଫୋଗଟ୍ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ବ୍ରିଜଭୂଷଣ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ରଖିଥିଲେ ସାଂସଦ ବ୍ରିଜଭୂଷଣ ସିଂ। ସେ କହିଥିଲେ, ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ମୁଁ ଇସ୍ତଫା ଦେଲେ ଅଭିଯୋଗ ମାନିଲି ବୋଲି ଲାଗିବ। ମୁଁ ଅପରାଧୀ ନୁହେଁ, ତଦନ୍ତର ସାମ୍ନା କରିବି। ୪୫ ଦିନରେ ନିର୍ବାଚନ ହେବ ଓ ମୋ କାର୍ଯ୍ୟକାଳ ସରିବ। ଖେଳାଳିମାନେ ଚଲାଇଥିବା ଏହା ଧାରଣା ନୁହେଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସାଂସଦ ବ୍ରିଜଭୂଷଣ ସିଂ କହିଥିଲେ।