ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଲାଇଟ କଟିବା ଘଟଣା: କ୍ଷମାପ୍ରାର୍ଥନା କଲେ କୁଳପତି
ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି।

ଓଏଲ୍ ବ୍ୟୁରୋ: ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ୯ମିନିଟ ଅନ୍ଧାର ହୋଇଯାଇଥିଲା। ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି। ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ। ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି। ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି।
ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ। ସେ କହିଛନ୍ତି, ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି। ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା, ଦୁଃଖ ପ୍ରକାଶ କରୁଛି। ମୁଁ ଦାୟିତ୍ବ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ ବୋଲି କୁଳପତି କହିଛନ୍ତି।