ଚର୍ଚ୍ଚିତ ବ୍ଲାକମେଲ କୁଇନଙ୍କ ଫିଟିପାରେ ଗୁମର, ସିଏଫଏସଏଲକୁ ଗଲା ଅର୍ଚ୍ଚନାଙ୍କ ମୋବାଇଲ
ଶ୍ରଦ୍ଧାଞ୍ଜଳି ହାଜର ନହେବା ନେଇ ମଧ୍ୟ ଟାର୍ଗେଟ କଲେ ଅର୍ଚ୍ଚନା।

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅଧିକ ତଦନ୍ତ ପାଇଁ ହାଇଦ୍ରାବାଦ ସିଏଫଏସଏଲକୁ ଗଲା ଅର୍ଚ୍ଚନା ନାଗର ୨ଟି ମୋବାଇଲ। କୋଲକାତା ସିଏଫଏସଏଲ ରିପୋର୍ଟ ଦେଇନପାରିବାରୁ ହାଇଦ୍ରାବାଦ ଗଲା ଅର୍ଚନାଙ୍କ ଫୋନ। ପୂର୍ବରୁ ରାଜ୍ୟ ଫରେନସିକ୍ ଲ୍ୟାବ କୌଣସି ରିପୋର୍ଟ ଦେଇନଥିଲା। ତେବେ ମୋବାଇଲ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଖବର ଅନୁସାରେ, ଆଜି କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ। ହେଲେ ହାଜର ହୋଇନଥିଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। କୋର୍ଟରୁ ବାହାରିବା ପରେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖି କହିଛନ୍ତି, ଉଭୟ ନୟାପଲ୍ଲୀ, ଖଣ୍ଡଗିରି ମାମଲାରେ ଲୁଚି ରହିଛି ଅନେକ ସତ। କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଲେ ଅର୍ଚ୍ଚନା। ଶ୍ରଦ୍ଧାଞ୍ଜଳି ହାଜର ନହେବା ନେଇ ମଧ୍ୟ ଟାର୍ଗେଟ କଲେ ଅର୍ଚ୍ଚନା। ବ୍ୟକ୍ତିଗତ ହାଜର ବେଳେ କମେଣ୍ଟର ଶିକାର ହେଉଥିବା କହିଲେ। ବ୍ୟକ୍ତିଗତ ହାଜର ପରିବର୍ତ୍ତେ ଭିସିରେ ହାଜର ପାଇଁ ଅପିଲ କଲେ ଅର୍ଚ୍ଚନା।
ଅନ୍ୟପଟେ, ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହେଲେନି ଶ୍ରଦ୍ଧାଞ୍ଜଳି। ପୁଣି ୧୫ ଦିନ ସମୟ ମାଗିଲେ ଶ୍ରଦ୍ଧାଞ୍ଜଳି ବେହେରା। ଆସନ୍ତା ୨୦ରେ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛି କୋର୍ଟ। ଗତ ୨୪ରେ କୋର୍ଟରେ ହାଜର ହୋଇନଥିବା ଜଣା ପଡିଥିଲା। ପୂର୍ବରୁ କୋର୍ଟରୁ ସମୟ ମାଗିଥିଲେ ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିବା ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ହାଜର ହୋଇନଥିଲେ। ତେବେ ଆଜି ପୁଣି ଥରେ କୋର୍ଟରେ ହାଜର ହୋଇନାହାନ୍ତି ଅର୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି।