କାଲି ନବୀନ-ନୀତିଶ ଭେଟଘାଟ, ରାଜନୈତିକ ଚର୍ଚ୍ଚା ଆରମ୍ଭ

ଓଏଲ୍ ବ୍ୟୁରୋ: ମଙ୍ଗଳବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ନୀତିଶ କୁମାର। ଦିନିକିଆ ଓଡ଼ିଶା ଗସ୍ତରେ ଆସି ନୀତିଶ ନବୀନଙ୍କୁ ଆସନ୍ତାକାଲି ମଧ୍ୟାହ୍ନରେ ଭେଟିବେ। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଏକ ସୁଦୃଢ଼ ମେଂଟ ଗଠନ ପ୍ରୟାସରେ ନୀତିଶ କୁମାର ଅଣଏନଡିଏ ଦଳଗୁଡ଼ିକର ନେତାମାନଙ୍କୁ ଭେଟୁଥିବା ଜଣାପଡ଼ିଛି। ଏହି କ୍ରମରେ ସେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଜଣାପଡ଼ିଛି।
ଆସନ୍ତାକାଲି ଅପରାହ୍ନ ୧୨ଟାରେ ନବୀନ ନିବାସରେ ନବୀନଙ୍କୁ ଭେଟିବେ ନୀତିଶ। ନବୀନ ନିବାସରେ ପ୍ରାୟ ଏକ ଘଣ୍ଟା ଧରି ନୀତିଶ କୁମାର ରହିବେ ଓ ସେଠାରେ ତାଙ୍କୁ ମଧ୍ୟାହ୍ନ ଭୋଜନର ନବୀନ ଆପ୍ୟାୟିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ରାଜନୀତିକ ହୋଇଥିବାରୁ ବିସ୍ତୃତ ତଥ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ସବୁଠୁ ବଡ଼କଥା ଏହାକି ଯେ, ଏହି ଭେଟଘାଟ ସେତେବେଳେ ହେବାକୁ ଯାଉଛି, ଯେତେବେଳେ ଜେଡିୟୁ ନେତା ନୀତିଶ କୁମାର ସାରା ଦେଶର ବିରୋଧୀ ଦଳର ନେତାଙ୍କୁ ଏକାଠି କରିବାର ଆହ୍ୱାନ ଦେଉଛନ୍ତି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ଆସି, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସାରା ଦେଶର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି।
ନବୀନ-ନୀତିଶ ସମ୍ପର୍କ:
ନୀତିଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ବହୁ ପୁରୁଣା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ। ଏମିତି କି ବ୍ୟକ୍ତିଗତ ଭାବେ ନିବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତିଶ ନବୀନ ନିବାସ ଆସିଛନ୍ତି। ହେଲେ ଆସନ୍ତାକାଲିର ଗସ୍ତ ଅନେକ ଗୁଡ଼ିଏ ଚର୍ଚ୍ଚା ଆଲୋଚନା ସୃଷ୍ଟି କରିଛି।
ବିଜୁ ଜନତା ଦଳ ହାତେ ମାପି ଚାଖଣ୍ଡେ ଚାଲିବା କଥାକୁ ପାଥେୟ କରି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ବ ବଜାୟ ରଖିଛି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅପେକ୍ଷା ନବୀନ ପଟ୍ଟନାୟକଙ୍କ କ୍ରେଜ ଜାତୀୟ ରାଜନୀତିରେ ପୁରା ଅଲଗା। କାହିଁକିନା ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ହେଲା ପରେ ମଧ୍ୟ ଲୋକପ୍ରିୟତାରେ ବ୍ରେକ୍ ଲାଗିନାହିଁ। ଏପରିକି ବିଜେପିର ଅସମୟରେ ବିଜେଡି ସହଯୋଗ କରିଥାଏ ବୋଲି ବିରୋଧୀ ମଧ୍ୟ କଟାକ୍ଷ କରିଥାନ୍ତି। ଆଉ ଏସବୁ ଭିତରେ ନୀତିଶଙ୍କ ଓଡ଼ିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା।