ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି, ହେଲେ WTC ଫାଇନାଲ ଦଳରେ ମିଳିଲା ସ୍ଥାନ

ଓଏଲ୍ ବ୍ୟୁରୋ: ଆହତଜନିତ ସମସ୍ୟା ଯୋଗୁଁ ବଦଳିଲା ଟିମ୍ ଇଣ୍ଡିଆର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷିତ ହୋଇଥିବା ଦଳ। ଆହତ କେଏଲ୍ ରାହୁଲଙ୍କ ଜାଗା ନେଲେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍ ଈଶାନ କିଶାନ। ଏନେଇ ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୩ଜଣ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ଦଳରେ ରଖିଛି ବିସିସିଆଇ।
ଆଇପିଏଲ ବେଳେ ଆହତ ହୋଇଥିବା କେଏଲ ରାହୁଲଙ୍କ ସ୍ଥାନ ନେଇଛନ୍ତି ଯୁବ ବ୍ୟାଟର ଈଶାନ କିଶନ। ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିବା ରାହୁଲଙ୍କର ଖୁବଶୀଘ୍ର ସର୍ଜରୀ ହେବ। ଏଥିପାଇଁ ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଓ ଆସନ୍ତା ମାସରେ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିପାରିବେ ନାହିଁ। ଯାହାଫଳରେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସୁଯୋାଗ ଦେଇଛି ଦଳ।
ସବୁଠୁ ବଡ଼କଥା ହେଲା ଭାରତ ପାଇଁ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିନଥିବା ଈଶାନ କିଶନ ଇଂଲଣ୍ଡର ଓଭାଲରେ ଖେଳା ଯିବାକୁ ଥିବା ମ୍ୟାଚ୍ ପାଇଁ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଜୁନ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ବିସିସିଆଇ ପକ୍ଷରୁ ୧୫ ଜଣିଆ ସ୍କ୍ୱାଡ ମଧ୍ୟ ଘୋଷଣା କରାଯାଇଥିଲା।
ଚାଲିଛି ଫଟାଫଟ କ୍ରିକେଟ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚି ସାରିଲାଣି ଲିଗ୍। ହେଲେ ସବୁଠୁ ବଡ଼ କଥା ହେଲା ଆହତ ଯୋଗୁଁ ଗୋଟିଏ ପରେ ଗୋଟିଏ ଷ୍ଟାର ଖେଳାଳି ଲିଗରୁ ବାଦ ପଡ଼ୁଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେଏଲ ରାହୁଲ ଆହତ ସମସ୍ୟା କାରଣରୁ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ସେହିପରି ଭାରତୀୟ ଟେଷ୍ଟ ସ୍କ୍ୱାଡରେ ଥିବା ଦୁଇ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଉମେଶ ଯାଦବ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଥିବା ଉନାଦକତ ନେଟ୍ସରେ ବୋଲିଂ କରିବା ବେଳେ ଆହତ ହୋଇଥିଲେ। ଏବେ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ ପ୍ରକ୍ରିୟା କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ଗୋଟିଏ ସ୍ୱତନ୍ତ୍ର ମେଡିକାଲ ଟିମ ନଜର ରଖିଛି। ସେ ଫିଟ ହେବାର ସମ୍ଭବନା ଥିବାରୁ ବିସିସିଆଇ ବର୍ତ୍ତମାନ ସମୟରେ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନି।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକର ଓ ଈଶାନ କିଶନ(ୱିକେଟ କିପର)।
ଷ୍ଟାଣ୍ଡବାଇ ଖେଳାଳି: ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ।