ଏଣିକି ପୋଷା କୁକୁର ରାସ୍ତାରେ ଝାଡା କଲେ, ସଫା କରିବେ ମାଲିକ

ଭୁବନେଶ୍ବର: ଆପଣ ରାଜଧାନୀ ଭୁବନେଶ୍ବରରେ ରହୁଛନ୍ତି କି? ଘରେ ପୋଷା କୁକୁର ରଖିଛନ୍ତି କି ? ଆଉ ପୋଷା କୁକୁରକୁ ବାହାରେ ବୁଲାଇ ମଳତ୍ୟାଗ କରାଉଛନ୍ତି କି ? ଯଦି ଏପରି କରୁଛନ୍ତି ତେବେ କୁକୁରର ମାଲିକ ମାନେ ସାବଧାନ ହେଇ ଯାଆନ୍ତୁ। କାରଣ ଆପଣଙ୍କ ପୋଷା କୁକୁରର ଅଭ୍ୟାସ ଆପଣଙ୍କୁ ସମସ୍ୟାରେ ପକାଇପାରେ। ଏଣିକି ରାସ୍ତାରେ ପୋଷା କୁକୁର ମଳ ତ୍ୟାଗ କଲେ କୁକୁର ମାଲିକ ହିଁ ସଫା କରିବେ। ଏଭଳି କିଛି ଆଇନ୍ ଆଣିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)।
ପୋଷ କୁକୁରକୁ ନେଇ କଟକଣା ଜାରିକଲା ବିଏମସି। ଏଣିକି ପୋଷା କୁକୁର ରଖିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଖାଲି ପଞ୍ଜୀକରଣ ନୁହେଁ, ନବୀକରଣ ବି କରିବାକୁ ପଡିବ। ବିଏମସି ପକ୍ଷରୁ ଲାଗୁ କରାଯାଇଥିବା ଆଇନ ମାନିବାକୁ ପଡିବ। ନମାନିଲେ ମାଲିକ ବନ୍ଧା ହେବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ବିଏମସିର ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି।
ପୋଷାକୁକୁର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ପାଇଁ ବିଏମସି ଆଇନ ପ୍ରସ୍ତୁତ କରିଛି। ୫ ଶହ ଟଙ୍କା ଦେଇ ପଞ୍ଜୀକରଣ କରିବ। ତା ସହ ନବୀକରଣ ପାଇଁ ୨୦୦ ଟଙ୍କା ଦେବାକୁ ପଡିବ। ସେତିକି ନୁହେଁ, ପୋଷା କୁକୁର ବାଟଘାଟରେ ମଳତ୍ୟାଗ କରିପାରିବ ନାହିଁ। ଯଦି କରିବ ତେବେ କୁକୁରର ମାଲିକ ପୋଛିବେ। ଏସବୁ ନିୟମକୁ ନ ମାନିଲେ ୧୦ ହଜାର ଜରିମାନା ସହ ଗିରଫ ଭୟ ମଧ୍ୟ ରହିଛି।