ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ରେଡ୍ ସମୟରେ ମିଳିଲା ବିପୁଳ ସଂପତ୍ତି
ଚଢ଼ାଉରେ ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍ ରହିଛନ୍ତି।

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ କୁମାର ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଏହି ଚଢ଼ାଉ ସମୟରେ ସଞ୍ଜୟ ସାହୁଙ୍କ ବିପୁଳ ସଂପତ୍ତି ଠାବ କରାଯାଇଛି। ଚଢ଼ାଉରେ ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍ ରହିଛନ୍ତି।
ଭିଜିଲାନ୍ସ ପଞ୍ଝାରେ ପଡିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ହୋଇଛି। ଭୁବନେଶ୍ୱରର ୪ଟି ଘରେ, ଭଞ୍ଜନଗର ଅଫିସ, ଭଡ଼ା ଘରେ ରେଡ୍। ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ଏଯାବତ୍ ଭିଜିଲାନ୍ସ ପାଇଥିବା ସଂପତ୍ତି ମଧ୍ୟରେ ମିଳିଛି ଘର, ପ୍ଲଟ୍। ଭୁବନେଶ୍ୱରରେ ୨ଟି ୩-ବିଏଚ୍କେ ଫ୍ଲାଟ୍, ଗୋଟିଏ କୋଠା ସହ ରାଜଧାନୀ ଉପକଣ୍ଠରେ ୩ଟି ପ୍ଲଟ୍, ୧୬.୮୬ ଲକ୍ଷର ବୀମା ଠାବ ହୋଇଛି। ଗୋଟିଏ ହୋଣ୍ଡାସିଟି କାର୍, ୨ଟି ଦୁଇ ଚକିଆ ଓ ୨ଶହ ଗ୍ରାମ ସୁନା ଠାବ କରାଯାଇଅଛି।