ଅସହ୍ୟ ତାତି, ଗ୍ରୀଷ୍ମ ପ୍ରବାହରେ ସିଝୁଛି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲା
ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଓଏଲ୍ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ଗତକାଲି ୪୪.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତପ୍ତ ସହର ପାଲଟିଥିବା ବେଳେ ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ଗତକାଲି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିଲା। ଝାରସୁଗୁଡାରେ ୪୦.୬ ଡିଗ୍ରୀ, ସମ୍ବଲପୁରରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ, କେନ୍ଦୁଝରରେ ୩୪.୮ ଡିଗ୍ରୀ, ବାଲେଶ୍ୱରରେ ୩୪.୬ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଗୋପାଳପୁରରେ ୩୩.୪ ଡିଗ୍ରୀ। ପାରାଦୀପରେ ୩୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ତେବେ ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।