ଓଡ଼ିଶାରେ ନୂଆ ମନ୍ତ୍ରୀ ପରିଷଦ, ୨୨ରେ ଶପଥ ଗ୍ରହଣ!

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତେ ପାଖଉଛି ସେତେ ଓଡ଼ିଶା ରାଜନୀତି ଉଷ୍ମ ହେବାରେ ଲାଗିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ମନ୍ତ୍ରୀ ପରିଷଦରେ ପରିବର୍ତନ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ ରାଜ୍ୟ ସରକାରଙ୍କ ୨ ମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ମେ’ ୧୨ ତାରିଖରେ ଇସ୍ତଫା ଦେଇଥିବା ବେଳେ ଖୁବ୍ ଶୀଘ୍ର ନୂଆ ମନ୍ତ୍ରୀ ତାଲିକା ଓ ବାଚସ୍ପତିଙ୍କ ନାମ ଘୋଷଣା ହେବ। ମେ’ ୨୨ ତାରିଖରେ ନୂତନ ବାଚସ୍ପତିଙ୍କ ସମେତ ନୂଆ ମନ୍ତ୍ରୀଗଣ ଶପଥ ନେବାର ସମ୍ଭାବନା ରହିଛି।
ସୂଚନାଥାଉକି, ମେ’ ୧୨ ତାରିଖରେ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଆଉ ଗଣମାଧ୍ୟମ ଆଗରେ କହିଥିଲେ ଯେ, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି। ସେହିପରି ସେ ଆହୁରି କହିଛନ୍ତି, “ଦଳ ପକ୍ଷରୁ ଯେବେ ଯେଉଁ ଦାୟିତ୍ଵ ଦିଆଯାଇଛି ତାକୁ ନିଷ୍ଠାର ସହ ତୁଲାଇଛି, ଆଗକୁ ଯେଉଁ ଦାୟିତ୍ଵ ଦିଆଯିବ ତାକୁ ନିଷ୍ଠା ଏବଂ ଧୈର୍ଯ୍ୟର ସହ ତୁଲାଇବି”।
ସେହିପରି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଉଭୟେ ସାଂଗଠନିକ କାର୍ଯ୍ୟରେ ଅଧିକ ସମୟ ଦେବା ପାଇଁ ସେମାନେ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ପ୍ରତିକ୍ରିୟା ଦେଇଛନ୍ତି।
ବିବାଦରେ ଥିଲେ ୨ ମନ୍ତ୍ରୀ:
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସମୀର ଦାଶଙ୍କ ନାଁ ରେ ଅପବାଦ ଲାଗିଛି । ସେହି ଅପବାଦ ବିଜେଡି ପାଇଁ ଘାତକ ସାଜିଥିଲା ୧୧ ନଂ ଜିଲ୍ଲା ପରିଷଦ ଉପନିର୍ବାଚନରେ । ତେଣୁକରି ଏହି ଆସନଟିକୁ ଦଳ ହାତଛଡ଼ା କଲା। ସେହିଭଳି ଶ୍ରୀକାନ୍ତୁ ସାହୁଙ୍କ ପଛରେ ତାଙ୍କ ଦଳର ଜଣେ ମହିଳା ନେତ୍ରୀଙ୍କ ଯୌନ ନିର୍ଯ୍ୟାତନା ଅପବାଦ ଲାଗିଛି। ଯାହାକୁ ବିରୋଧୀ ଦଳ କାଉଣ୍ଟର କରିଥିଲେ।