ଧର୍ମେନ୍ଦ୍ରଙ୍କୁ ମାନିଲେନି ଦର୍ଶକ; ‘ଉତ୍କଳ ଜନନୀ’ ବଦଳରେ ‘ବନ୍ଦେ ମାତରମ୍’

ଓଏଲ୍ ବ୍ୟୁରୋ: ଗୁରୁବାର ଓଡ଼ିଶାରେ ପୁରୀ-ହାୱାଡା ମାର୍ଗରେ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଉତ୍ସବରେ ଅଭିଭାଷଣ ରଖିବା ବେଳେ ଦର୍ଶକ ତାଙ୍କ କଥାକୁ ମାନିନଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ବନ୍ଦେ କହିଲେ ଉତ୍କଳ ଜନନୀ ସମସ୍ତେ କହିବା। ହେଲେ ଶ୍ରୀ ପ୍ରଧାନ ଯେତେବେଳେ ବନ୍ଦେ କହିଥିଲେ ଉପସ୍ଥିତ ଥିବା ଦର୍ଶକ ସମସ୍ତେ ମାତରମ୍ କହିଥିଲେ। ଏହାପରେ ମଧ୍ୟ ଶ୍ରୀ ପ୍ରଧାନ ବନ୍ଦେ କହିଲେ ଉତ୍କଳ ଜନନୀ କହିବାକୁ ଦର୍ଶକଙ୍କୁ ଅନୁରୋଧ କରିଥିଲେ। ହେଲେ ଦର୍ଶକ ପୁଣିଥରେ ବନ୍ଦେ ମାତରମ୍ ନାରା ଦେଇଥିଲେ। ଯାହାରା ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁୁଲୁଛି।
ଏପରିକି ମଞ୍ଚରୁ ରାଜ୍ୟ ସରକାରଙ୍କୁ ତେରଛା ବାଣ ମାରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ, କିଛି ଲୋକ କହୁଛନ୍ତି ଡବଲ ଇଞ୍ଜିନ ଚାଲିବନି। ହେଲେ ବନ୍ଦେ ଭାରତ ଏକ୍ସପ୍ରେସ ହିଁ ଡବଲ ଇଞ୍ଜିନ । ଆଉ ଡବଲ ଇଞ୍ଜିନ କହିଲେ କାହିଁକି ବାଧୁଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।