Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ହେଉଛି ଟାଣଖାର, ୪୫ ଡିଗ୍ରୀ ଛୁଇଁପାରେ ରାଜଧାନୀର ତାପମାତ୍ରା

ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେବ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମକୋପ ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେବ। ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ।

ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ। ଉପକୂଳରେ ୪୦ ଡିଗ୍ରୀ ଉପରେ ରହିପାରେ ପାରଦ। ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜଧାନୀରେ ୪୫ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା। ତେବେ ଜୁନର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାତି ରହିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ, ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ସମ୍ଭାବନା ରହିଛି। ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୧ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବର ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.