ତାତିରୁ ମିଳିଲା ତ୍ରାହି, କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା
ଏହାର ପ୍ରଭାବରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି କୁହାଯାଉଛି।

ଓଏଲ୍ ବ୍ୟୁରୋ: ତାତିରୁ ମିଳିଲା ନିସ୍ତାର। କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା। ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା। ବର୍ଷା କାରଣରୁ ତାତିରୁ ତ୍ରାହି ମିଳିଥିବା ଅନୁଭୂତ ହେଉଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଏହାର ପ୍ରଭାବରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି କୁହାଯାଉଛି।
ଅନ୍ୟପଟେ, ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମକୋପ ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେବ। ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ। ଉପକୂଳରେ ୪୦ ଡିଗ୍ରୀ ଉପରେ ରହିପାରେ ପାରଦ। ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।