ବିଜେଡି ସୁପ୍ରିମୋଙ୍କ ଲମ୍ବା ଇନିଂସ, ଆଜି ନବୀନଙ୍କ ୫ମ ପାଳିକୁ ପୂରିଛି ୪ ବର୍ଷ
୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ। ତେବେ ଏହି ପଞ୍ଚମ ପାଳିକୁ ପୂରିଛି ୪ ବର୍ଷ।

ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୁରା ହୋଇଛି। ସେ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ନେତା ଭାବେ ଖୁବ ଜଣାଶୁଣା। ୨୦୧୯ ମେ’ ୨୯ ତାରିଖରୁ ନବୀନ ଆରମ୍ଭ କରିଥିଲେ ପଞ୍ଚମ ପାଳି। ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ। ତେବେ ଏହି ପଞ୍ଚମ ପାଳିକୁ ପୂରିଛି ୪ ବର୍ଷ।
୨୦୦୦ ମସିହାରୁ ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି ଲଗାତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଅଧିକ ଦିନ କ୍ଷମତାରେ ରହିବାରେ ନବୀନ ହେଉଛନ୍ତି ଦେଶରେ ତୃତୀୟ ମୁଖ୍ୟମନ୍ତ୍ରୀ। ଆଉ ମାତ୍ର କିଛି ଦିନ ପରେ ଲଗାତାର ମୁଖ୍ୟମନ୍ତ୍ରୀ ରହିବା ତାଲିକାରେ ଜ୍ୟୋତି ବସୁଙ୍କୁ ଟପି ନବୀନ ଦ୍ବିତୀୟ ସ୍ଥାନକୁ ଆସିଯିବେ। ତେବେ ଆଜି ନବୀନଙ୍କ ଲମ୍ବା ଇନିଂସର ୫ମ ପାଳିର ପଞ୍ଚମ ବର୍ଷ ଆରମ୍ଭ।
ପାଖେଇ ଆସୁଛି ନିର୍ବାଚନ। ଆଉ ଗୋଟିଏ ବର୍ଷ ବିଜେଡି ହାତରେ ଅଛି। ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୁରା କରିବାକୁ ଯୋଜନା କରିଛି। ଏହି ଅବସରରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ।
୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟରେ ଆଲୋଚନା ହେବ। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିବ ବୋଲି କୁହାଯାଉଛି। କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିବ ବୋଲି ସୂଚନା ମିଳିଛି। ଏହାସହ ଆହୁରି ଅନେକ ବଡ ବଡ଼ ନିଷ୍ପତିରେ ମୋହର ମାରିପାରନ୍ତି ନବୀନ।