କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ
![](https://www.odishalink.com/wp-content/uploads/2023/05/lakh-750x381.jpg)
ଓଏଲ୍ ବ୍ୟୁରୋ: ଗତକାଲି କଟକ କେଶରପୁରରୁ ଆସିଥିଲା ଆଉ ଏକ ଦୁର୍ଘଟଣାର ଚିତ୍ର। ଜାଇକା ପ୍ରକଳ୍ପ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନରେ ପଡ଼ି ଜଣେ ନାବାଳିକା ଗୁରୁତର ହୋଇଥିଲେ। ପରେ ବକ୍ସ ଡ୍ରେନ୍ ପାଇପରେ ଚାପି ହୋଇ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କଟକ ମେୟର ଓ କମିଶନର ନାବାଳିକାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ।
ମୃତ ନାବାଳିକାର ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା। ୧୦ ଲକ୍ଷ ଟଙ୍କା ସହାୟତା ମିଳିବା ନେଇ ମେୟର ସୂଚନା ଦେଇଛନ୍ତି। ଜାଇକା କାମ ଜାଗାରେ ସୂଚନା ଫଳକ ଲାଗିବ ଏବଂ ବ୍ୟାରିକେଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ସ୍ଥାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସୁରକ୍ଷା କର୍ମୀ ରଖିବାକୁ ନିର୍ଦ୍ଦେଶ। ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ମେୟର।
ସୂଚନା ଅନୁସାରେ, ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଜାଇକା କାମ ଯୋଗୁଁ ଲୋକଙ୍କୁ ନାହିଁ ନଥିବା ସସମ୍ୟା ହେଉଛି। ବାରମ୍ବାର ଅଭିଯୋଗ ସତ୍ୱେ ଅସ୍ଥାୟୀ ରାସ୍ତା ତିଆରି କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି। ବଡ଼ କଥା ହେଉଛି, ନାବାଳିକା ଡ୍ରେନରେ ଫସିବା ନେଇ ଜାଇକା କର୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲେ ବି ସେମାନେ ଘଟଣାସ୍ଥଳକୁ ଆସିନଥିଲେ। ନାବାଳିକାର ବୟସ ୧୬ ବର୍ଷ ହେବ ବୋଲି ସୂଚନା ମିଳିଛି।
ନାବାଳିକା ଜଣକ ଯାଉଥିବା ବେଳେ ଡ୍ରେନରେ ଖସି ପଡ଼ିଥିଲେ। ପରେ କଟକ ମେୟର ଓ କମିଶନର ନାବାଳିକାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ପରିବାରକୁ ଭେଟି ଫେରିଲା ବେଳେ ବିରୋଧ କଲେ କଂଗ୍ରେସ କର୍ମୀ। ସେହି ସମୟରେ ମେୟର ଓ କମିଶନରଙ୍କ ସହ ମୁହାଁମୁହିଁ ହେଲେ କଂଗ୍ରେସ କର୍ମୀ। ପୂର୍ବତନ ନଗର କଂଗ୍ରେସ ସଭାନେତ୍ରୀ ଓ ସ୍ଥାନୀୟ ଲୋକଙ୍କ ବିରୋଧ। ପ୍ରବଳ ଯୁକ୍ତିତର୍କ ଓ ହୋହଲ୍ଲା ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା।