ନୂଆ ପାର୍ଲାମେଣ୍ଟର ‘ପିପୁଲ୍ସ ୱାଲ’ର ମୁଖ୍ୟ ଦାୟିତ୍ୱରେ ଏହି ଓଡ଼ିଆ
ଜଣେ ଓଡ଼ିଆ ହିସାବରେ ସେଠାରେ ଏକ ନୂଆ ଇତିହାସ ଲେଖିପାରିଛି।

ଓଏଲ୍ ବ୍ୟୁରୋ: ଓଡ଼ିଆ ଏବେ ସବୁଠି ଚମକୁଛନ୍ତି। ବଡ଼ ବଡ଼ ପଦବୀଠୁ ନେଇ ଜାତୀୟ ଅନ୍ତର୍ଜାତୀୟ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ନିକଟରେ ନୂଆ ପାର୍ଲାମେଣ୍ଟର ଉଦଘାଟନ ସରିଛି। ଏହି ନୂଆ ପାର୍ଲାମେଣ୍ଟର ପିପୁଲ୍ସ ୱାଲରେ ଝଟକୁଛି ସାରା ଭାରତର ଜନଜାତିଙ୍କ ଚିତ୍ରକଳା। ଆଉ ଏହି ଚିତ୍ରକଳାକୁ ସମ୍ପାଦନା କରିଛନ୍ତି ୨ଜଣ ଚିତ୍ରକର। ଜଣେ ବିହାର ଓ ଜଣେ ଓଡ଼ିଶାର। କିନ୍ତୁ ଓଡ଼ିଶାର ଭୁବନେଶ୍ୱରର ୪୨ବର୍ଷୀୟା ସତ୍ୟଭାମା ମାଝି ଏହି ପ୍ରଜେକ୍ଟରେ ମୁଖ୍ୟ ଭୂମିକାରେ ରହିଥିଲେ।
ଦିଲ୍ଲୀ ଲଳିତ କଳା ଏକାଡେମୀ ପକ୍ଷରୁ ତାଙ୍କୁ ଚୟନ କରାଯାଇଥିଲା। ୭୦ଜଣ ମହିଳା ଚିତ୍ରକରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଚିତ୍ରକଳାରେ ସେ ଓଡ଼ିଶାରୁ ୭ଜଣଙ୍କୁ ନେଇଥିଲେ। ଟ୍ରାଇବାଲ ଆର୍ଟରେ ଅଭିପ୍ସା ପ୍ରଧାନ, ଟ୍ରାଡିସନାଲ ଆର୍ଟରେ ରୂପାଲି ରୁଚିସ୍ମିତା କର ଓ ସ୍ନେହଲତା ମହାରଣା, ସଉରା ଆର୍ଟରେ ଜିଲି ଗୋମାଙ୍ଗ, ଡଙ୍ଗରିଆ ଟେକ୍ସଟାଇଲରେ ତେଲା ୱାଡାକା, ଡଙ୍ଗରିଆ ଚିତ୍ରକଳାରେ ଲାହାରି କୁଣ୍ଡିକା, ପଟ୍ଟଚିତ୍ରରେ ଜ୍ୟୋତି ମହାରଣା ପ୍ରମୁଖ ରହିଥିଲେ।
ଦୀର୍ଘ ୮ମାସ ଧରି ବିହାରଠାରେ ପ୍ରସ୍ତୁତ ହୋଇଥିଲା ଏହି ଚିତ୍ରକଳା। ଗବେଷଣାଠୁ ନେଇ ଅରଗାନିକ ରଙ୍ଗ ପ୍ରସ୍ତୁତ, ବୁଣାକାମ, ପେପର ୱାର୍କ ଭଳି ଅନେକ କାମ କରାଯାଇଛି। ୮୦ଫୁଟ ଦୀର୍ଘ ଓ ୯ଫୁଟ ପ୍ରଶସ୍ତ ବିଶିଷ୍ଟ କାନ୍ଥରେ ଜନ, ଜନନୀ, ମାତୃଭୂମି ଥିମ୍ରେ ଚିତ୍ର କରାଯାଇଛି।
ଯେଉଁଥିରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ବିଷୟବସ୍ତୁକୁ ପ୍ରାଧାନ୍ୟ ଦେଇ ବିଶେଷ କରି ଗାଁରେ ଜୀବନ, ମା’ର ଭୂମିକା ଆଦିକୁ ଦର୍ଶାଯାଇଛି। ପିପୁଲ୍ସ ୱାଲରେ ମୁଖ୍ୟତଃ ସୁଜାନି ଆର୍ଟ, କୋହବର ଆର୍ଟ, ସୋହରାଇ ପେଣ୍ଟିଂ, ସଞ୍ଜୀ କଳା, ପଟ୍ଟଚିତ୍ର, ମଧୁବନୀ କଳା, ସଉରା ପେଣ୍ଟିଂ, ସାନ୍ତାଳ, ଡୋଙ୍ଗରିଆ ଆର୍ଟ ଏବଂ ଟେକ୍ସଟାଇଲ, ଗୋଣ୍ଡ ପେଣ୍ଟିଂ, କାଲିଘାଟ ପେଣ୍ଟିଂ, ୱର୍ଲି ପେଣ୍ଟିଂ ସହିତ ଲୋକକଳା ଏବଂ ଚିତ୍ରକଳା ପ୍ରଦର୍ଶିତ ହୋଇଛି।
ସତ୍ୟଭାମା ନିଜର ଅନୁଭୂତି ବଖାଣିଛନ୍ତି, ଜଣେ ଓଡ଼ିଆ ହିସାବରେ ସେଠାରେ ଏକ ନୂଆ ଇତିହାସ ଲେଖିପାରିଛି। ସବୁଦିନ ପାଇଁ ଓଡ଼ିଶାର ନାମ ସେ କାନ୍ଥରେ ଲେଖା ହୋଇ ରହିବ। ଏହି ଅନୁଭୂତି ସ୍ବତନ୍ତ୍ର। ଦେଶର ୭୦ ମହିଳା ଚିତ୍ରକରଙ୍କ ସହ କାମ କରି ନିଜକୁ ଗର୍ବିତ ମନେ କରୁଛି। ଏଥିସହ ଭାରତରେ ଥିବା କେତେ ଲୋକକଳା, ଆଦିବାସୀ, ଜନଜାତି, କଳା, ସଂସ୍କୃତି ସହ ପରିଚିତ ହେଲି। ସେଠାରେ ଆମେ ଅର୍ଗାନିକ ରଙ୍ଗ ପ୍ରସ୍ତୁତ କରୁଥିଲୁ।
ଯାହା ମୁଁ ଏଠାରୁ ଶିଖିଛି ତାହା ସେଠି କାର୍ଯ୍ୟରେ ଲଗାଇଛି। ନୂତନ ଭାରତର ସଂସଦର କାନ୍ଥରେ ବିଭିନ୍ନ କଳା ରୂପକୁ ଅମର କରିବାରେ ମହିଳା କାରିଗରମାନଙ୍କର ମହତ୍ତ୍ୱ କୁ ନେଇ ସେ କହିଛନ୍ତି, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ମହିଳା କାରିଗରମାନଙ୍କୁ ପୁରସ୍କାର ପ୍ରାପ୍ତ କାରିଗରମାନଙ୍କ ସହିତ ସେମାନଙ୍କର ସୃଜନଶୀଳ କାର୍ଯ୍ୟ ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା।
ବିହାରର ମଧୁବନୀ ଗ୍ରାମରେ ଆୟୋଜିତ ଏହି କଳା ଶିବିର ସ୍ବପ୍ନର ପ୍ରକଳ୍ପ ପାଇଁ ମନୋନୀତ କାରିଗରମାନଙ୍କୁ ଏକତ୍ର କରିଥିଲା। ଓଡ଼ିଶାରୁ ଯାଇଥିବା ଅନ୍ୟ କଳାକାରମାନେ ସଉରା, ସାନ୍ତାଳ, ଡଙ୍ଗରିଆରେ ଚିତ୍ର ସହ ଓଡିଶାର ପଟ୍ଟଚିତ୍ର ମଧ୍ୟ ସ୍ଥାନିତ କରିଛନ୍ତି।