ମଣିପୁର ହିଂସା ପରେ ବଦଳିଲେ ଡିଜିପି, ରାଜୀବ ସିଂହଙ୍କୁ ମିଳିଲା ଦାୟିତ୍ତ୍ୱ
ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ ହେଲେ ରାଜୀବ ସିଂହ।

ଓଏଲ୍ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ହିଂସା ଓ ରକ୍ତପାତ ପରେ ବଦଳିଲେ ମଣିପୁର ଡିଜିପି। ମଣିପୁର ପୋଲିସ ଡିଜିପି. ଡଙ୍ଗେଲଙ୍କୁ ଓଏସ୍ଡି ଭାବେ ବଦଳି। ଗୃହ ବିଭାଗ ଓଏସ୍ଡି ଭାବେ ବଦଳି ହେଲେ ଡଙ୍ଗେଲ। ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ ହେଲେ ରାଜୀବ ସିଂହ। ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଲେ ତ୍ରିପୁରା କ୍ୟାଡରର ରାଜୀବ।
ଖବର ଅନୁସାରେ, ମଣିପୁର ହିଂସା ପରେ କେନ୍ଦ୍ର ଗୃହମନ୍ତ୍ରୀ ମଣିପୁର ଗସ୍ତ କରିଥିଲେ। ସେ ମଙ୍ଗଳବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ସହ ବୈଠକ କରିଥିଲେ। ବର୍ତ୍ତମାନ ମଣିପୁର ହିଂସାର ତଦନ୍ତ ପାଇଁ କମିଟି ଗଠନ ହୋଇଥିବା କହିଛନ୍ତି ଅମିତ ଶାହ। ହାଇକୋର୍ଟର ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେବ। ମଣିପୁରର ରାଜ୍ୟପାଳ ଶାନ୍ତି କିମିଟିର ଅଧ୍ୟକ୍ଷତା କରିବେ। ମୃତକଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ୧୦ଲକ୍ଷ ସହାୟତା ରାଶି ଘୋଷଣା ହୋଇଛି। ହିଂସା ପୀଡ଼ିତଙ୍କୁ ରିଲିଫ ପ୍ରଦାନ କରାଯିବ ବୋଲି କହିଛନ୍ତି ଅମିତ ଶାହ।
ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସୂଚନା ରହିଛି। ସେହିଭଳି ହିଂସା ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀର ଦାମ ଯେଭଳି ଭାବେ ବୃଦ୍ଧି ପାଉଛି ତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ପେଟ୍ରୋଲ, ଏଲପିଜି, ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।