ଦୁଃଖ ପ୍ରକାଶ କଲେ ରେଳ ମନ୍ତ୍ରୀ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଘୋଷଣା
ଓଏଲ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଭୟଙ୍କର ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍ ଧକ୍କା ହେବାରୁ ୫୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହୋଇଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ଏସଆରସି ଅଫିସରେ ସ୍ଥିତିର ସମୀକ୍ଷା କରିବା ପରେ ଆସନ୍ତାକାଲି ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ଦେଇଥିବାବେଳେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଆରୁ ଦୁର୍ଘଟଣାସ୍ଥଳୀ ଅଭିମୁଖେ ଆସୁଥିବା ଜଣାପଡ଼ିଛି। କେନ୍ଦ୍ର ରେଳମନ୍ତ୍ରୀ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ମିଳିବ ବୋଲି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ଯୋଗୁ ଉକ୍ତ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଓ ଅଧିକାଂଶ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି।
Ex-gratia compensation to the victims of this unfortunate train accident in Odisha;
₹10 Lakh in case of death,
₹2 Lakh towards grievous and ₹50,000 for minor injuries.— Ashwini Vaishnaw (@AshwiniVaishnaw) June 2, 2023
ଖଡ଼ଗପୁର ଡିଆର୍ଏମ୍ ସୂଚନା ଦେଇ କହିଛନ୍ତି, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।
ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୫୦ଟି ଆମ୍ବୁଲାନ୍ସ ଥିଲେ ମଧ୍ୟ ଆହତଙ୍କ ସଂଖ୍ୟା ବେଶ୍ ଅଧିକ ଥିବାରୁ ବସ୍ ଯୋଗେ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।