ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମମତା ବାନାର୍ଜୀ
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ମମତା ବାନାର୍ଜୀ।
ଓଏଲ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ରେଳ ବିଭାଗର ଅମିତାଭ ଶର୍ମା ସୂଚନା ଦେଇଛନ୍ତି। ବାହାନଗାର ଟ୍ରେନ୍ ଦୁର୍ଘଟଣାକୁ ନେଇ ସ୍ଥିତି ସମୀକ୍ଷା କରିବା ପାଇଁ ବାଲେଶ୍ୱରରେ ପହଁଞ୍ଚିଥିଲେ ମମତା ବାନାର୍ଜୀ। ଦୁର୍ଘଟଣା ସ୍ଥଳରେ ପହଂଚିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥିତି ସମୀକ୍ଷା କରିଛନ୍ତି। ମୃତାହତଙ୍କ ମଧ୍ୟରୁ ୬୦ପ୍ରତଶତ ପଶ୍ଚିମବଙ୍ଗର ହୋଇଥିବା ଅନୁମାନ କରାଯାଉଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ମମତା ବାନାର୍ଜୀ।
ଅନ୍ୟପଟେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଏମ କେ ଷ୍ଟାଲିନ। ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି। ଗୃହ ମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକରେ ସାମିଲ। ଏନଡିଆରଏଫ ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀ ସାମିଲ ଥିବା ସୂଚନା। ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ସ୍ତିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ ପିଏମ୍ ମୋଦି।
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ପରିସ୍ଥିତିକୁ ଦେଖି ଏହି ରୁଟରେ ଯିବାକୁ ଥିବା ୩୩ ଟ୍ରେନକୁ ବାତିଲ କରାଯାଇଛି। ତେବେ ବାତିଲ ହୋଇଥିବା ଟ୍ରେନ ଗୁଡିକ କେତେବେଳେ ଯାତ୍ରା ଆରମ୍ଭ କରିବ ଏନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ। ମର୍ମନ୍ତୁଦ ଦୁର୍ଘଟଣା ପରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଚିକିତ୍ସାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିଛନ୍ତି। ଏହା ସହ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆହାତଙ୍କୁ ଭେଟି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।