ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ ମମତା ବାନାର୍ଜୀ
ବାହାନଗା ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିବେ ୩ ମନ୍ତ୍ରୀ।
ଓଏଲ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଆସି ସ୍ଥିତି ସମୀକ୍ଷା କରିବାର ସୂଚନା ରହିଛି। ଅନ୍ୟପଟେ, ଓଡ଼ିଶା ଆସୁଛନ୍ତି ତାମିଲନାଡ଼ୁର ୩ ମନ୍ତ୍ରୀ। ଚେନ୍ନାଇ ବିମାନବନ୍ଦରରୁ ବାହାରିଲେ ୩ ମନ୍ତ୍ରୀ। ବାହାନଗା ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିବେ ୩ ମନ୍ତ୍ରୀ।
ବାହାନଗା ଦୁର୍ଘଟଣାରେ ଆହତଙ୍କୁ ବାଲେଶ୍ୱର, ଭଦ୍ରକର ଓ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସସିବିରେ ୫୩ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆହାତଙ୍କୁ ଭେଟି ଡାକ୍ତରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।
ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି। ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି। କିଛି ଜଣଙ୍କ ମରଶରୀରର ପକେଟରୁ ମୋବାଇଲ ଫୋନ୍ ବାଜୁଥିବାର ଦେଖିବାକୁ ମିଳିଛି। କିନ୍ତୁ ପରିବାରବର୍ଗଙ୍କୁ ମୃତ୍ୟୁ ବାବଦରେ ସୂଚନା ମିଳୁଥିବାର ଦୁଃଖଦ ଖବର ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।