ଭୁବନେଶ୍ବରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ଆହତଙ୍କୁ ଭେଟିବେ

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଭେଟିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଏଥିପାଇଁ ସେ ଆଜି ସକାଳୁ ଭୁବନେଶ୍ବରରେ ପହଁଞ୍ଚିଛନ୍ତି। ପ୍ରଥମେ ସେ ଏମସ୍ ଯାଇଛନ୍ତି। ଏମସକୁ ଯାଇ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ କେମିତି ଚିକିତ୍ସା ଚାଲିଛି, ତାର ତଦାରଖ କରିବେ। ଭୁବନେଶ୍ୱର ଏମସ ପରିଦର୍ଶନ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଟକ ଏସସିବି ପରିଦର୍ଶନ କରିବେ।
ଆହତଙ୍କୁ ଭେଟିବା ସହିତ ସେମାନଙ୍କୁ କେମିତି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି, ତାହା ଦେଖିବେ। ଗତକାଲି ବାହାନଗା ପରିଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସହିତ କଥା ହୋଇଥିଲେ।
ସୂଚନା ମୁତାବକ, ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ କରିଛି ସମସ୍ତ ବ୍ୟବସ୍ଥା । ୪୮ ଘଣ୍ଟା ଭିତରେ ଚିହ୍ନଟ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇଯାଇପାରେ ବୋଲି ସେ କହିଛନ୍ତି ।