ଛାତିଥରା ରେଳ ଦୁର୍ଘଟଣାର ଚାଲିଛି ତଦନ୍ତ, ଏବେ ଯାଏଁ ଅଚିହ୍ନା ଅନେକ ଶବ
ଭୁବନେଶ୍ବର ଘରୋଇ ହସ୍ପିଟାଲରେ ରେକର୍ଡ ହୋଇଛି ବୟାନ।
ଓଏଲ୍ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।
ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।
ଛାତିଥରା ରେଳ ଦୁର୍ଘଟଣାର ତଦନ୍ତ ଚାଲିଥିବାବେଳେ ଏବେ ଯାଏଁ ଅନେକ ଶବର ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ଘଟିବାର କାରଣ କ’ଣ ହୋଇପାରେ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ନିଜର ବୟାନ ଦେଲେ କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟ ଗୁଣନିଧି ମହାନ୍ତି। ବୟାନ ରେକର୍ଡ କଲେ ଖୋର୍ଦ୍ଧାରୋଡ୍ ରେଲୱେ ଡିଭିଜନ ସୁରକ୍ଷା କମିଶନର। ଭୁବନେଶ୍ବର ଘରୋଇ ହସ୍ପିଟାଲରେ ରେକର୍ଡ ହୋଇଛି ବୟାନ।
ଉଭୟ ଡ଼୍ରାଇଭର ଗୁଣନିଧି ମହାନ୍ତି ଓ ସହାୟକ ଡ୍ରାଇଭର ହଜାରୀ ବେହେରାଙ୍କ ବୟାନ ରେକର୍ଡ ହୋଇଛି। ରେକର୍ଡ ହୋଇଥିବା ବୟାନ ଅନୁସାରେ, ଲୁପ୍ ଲାଇନ ପାଇଁ ଗ୍ରୀନ ସିଗନାଲ ଥିଲା। ସିଗନାଲ ପାଇଁ ଲୁପ ଲାଇନ ଯାଇଥିଲା କରମଣ୍ଡଳ। ରେଲୱେ ବୋର୍ଡକୁ ଏହା କହିଥିଲେ ଡ୍ରାଇଭର।
ବାହାନଗା ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ କରାଯାଇଛି। ୧୭୦ ମୃତଦେହ ଚିହ୍ନଟ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ସରିବା ପରେ ମୃତଦେହ ହସ୍ତାନ୍ତର କରାଯାଉଛି। ମୃତଦେହ ନେବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।