‘ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ଚାଲିଛି, ଅନୁଧ୍ୟାନ ପରେ ଜଣାପଡ଼ିବ ସ୍ପଷ୍ଟ କାରଣ’
ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ।
ଓଏଲ୍ ବ୍ୟୁରୋ: ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ରେଳ ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଜର ଜୀବନ ହରାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ବାଲେଶ୍ୱରରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ।
ଦୁର୍ଘଟଣାସ୍ଥଳରେ ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ଖଡ଼ଗପୁର ଡିଭିଜନର ଏଡିଆରଏମ ଓ ଏଜିଏମଙ୍କ ବି ତଦନ୍ତ ଆରମ୍ଭ। ସିଗନାଲ ମେସିନ ଓ ଅନ୍ୟାନ୍ୟ ଜିନିଷ ଯାଞ୍ଚ କରିବା ସହ ଘଟଣାସ୍ଥଳରେ ରେଳ ଅଧିକାରୀଙ୍କ ସହ ଆଲୋଚନା କଲେ ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ। କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଥିଲା ସମୀକ୍ଷା କରିବା ସହ ସେ ନିଜର ମତାମତ ରଖିଛନ୍ତି।
ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ ଘଟଣାର ଅନୁଧ୍ୟାନ କରିବା ସହ କହିଛନ୍ତି, ଘଟଣାର ପ୍ରାରମ୍ଭିକ ତଦନ୍ତ ଚାଲିଛି। ସାଉଥ ଇଷ୍ଟର୍ଣ୍ଣ ସର୍କଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି, ତଦନ୍ତ ପାଇଁ ସମୟ ଲାଗିବ। ଘଟଣାର ସମ୍ପୂର୍ଣ ତଦନ୍ତ ପରେ ସ୍ପଷ୍ଟ କାରଣ ଜଣାପଡ଼ିବ ବୋଲି କହିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ।