ଆଜି ବିଶ୍ୱ ପରିବେଶ ଦିବସ, ଶିଳ୍ପୀଙ୍କ ବାଲୁକା କଳାରେ ପ୍ଲାଷ୍ଟିକ ମୁକ୍ତ ପରିବେଶର ବାର୍ତ୍ତା
ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।
ଓଏଲ୍ ବ୍ୟୁରୋ: ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ତେବେ ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ପ୍ଲାଷ୍ଟିକ ପ୍ରଦୂଷଣ ସମାଧାନର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ ନିଜର ବାଲୁକା କଳାରେ ପ୍ଲାଷ୍ଟିକ ମୁକ୍ତ ପରିବେଶର ବାର୍ତ୍ତା ଦେଇଛନ୍ତି।
ପ୍ରତିବସ ଜୁନ ମାସ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମର ଅନ୍ତର୍ଗତ। ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା।
ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇ ଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା। ନିଜ ଚାରିପାଖ ପରିବେଶକୁ ସ୍ୱଚ୍ଛ ରଖିବା ଦ୍ୱାରା ହିଁ ସାରା ବିଶ୍ୱକୁ ସ୍ୱଚ୍ଛ ରଖିବା ସହ ସମାନ।