ମିଛ ଖବର ପ୍ରସାରଣ କରୁଛି ଗଣମାଧ୍ୟମ: ବାଲେଶ୍ବର ଜିଲ୍ଲାପାଳ

ଓଏଲ୍ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡି ସାରା ବିଶ୍ବକୁ ବ୍ୟଥିତ କରିଛି। କରମଣ୍ଡଳ ଏକ୍ସପ୍ରେସର ସେହି କଳାରାତିକୁ ଏବେବି କେହି ଭୁଲି ପାରୁ ନାହାନ୍ତି। ଏହି ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣଙ୍କର ଜୀବନ ଗଲାଣି। ଆହୁରି ଶତାଧିକ ଆହତ ଏବେବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏସବୁ ମଧ୍ୟରେ ଦୁଇ ଦିନ ତଳେ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ଜଣେ ବାପା ଶବଖାନାରେ ଥିବା ପୁଅକୁ ଜୀବିତ ଭାବେ ଉଦ୍ଧାର କରିଥିଲେ। ତେବେ ଏହି ଖବର ମିଛ ବୋଲି କହିଛି ବାଲେଶ୍ବର ଜିଲ୍ଲାପାଳ।
ବାଲେଶ୍ବର ଜିଲ୍ଲାପାଳଙ୍କ ଟ୍ବିଟରରେ ପୋଷ୍ଟ କରାଯାଇଛି ଯେ, ବାହନଗା ଦୁର୍ଘଟଣାରେ ବହୁତ ଗଣମାଧ୍ୟମ ସହଯୋଗ କରିଛି। ହେଲେ କିଛି ଗଣମାଧ୍ୟମ ସଂସ୍ଥା ମଲା ପୁଅକୁ ବଞ୍ଚାଇଲେ ବାପା ଭଳି ଖବର ପରିବେଷଣ କରିଥିଲେ। ଆମର ବରିଷ୍ଠ ଅଧିକାରୀ ମୃତକଙ୍କ ବାପାଙ୍କ ସହିତ ସାକ୍ଷାତ କରିଥିଲେ ଆଉ ସେହି ବ୍ୟକ୍ତି ଜଣକ ଏହି ଖବର ମିଛ ବୋଲି କହିଥିଲେ।
While most of the media houses were quite cooperative,some have tried to demean the relief efforts by publishing the fake news of a father rescuing a son presumed dead. Our senior officer has talked with the father and he has clearly told it to be fake news. pic.twitter.com/uGHH6zWHjy
— Collector & DM Balasore (@DBalasore) June 7, 2023
ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ଅଣାଯାଇଥିଲା। ସେଥିମଧ୍ୟରୁ ୧୧୧ଟିକୁ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆହୁରି ୮୨ଟି ମୃତଦେହ ଏମ୍ସରେ ରହିଛି। ସେଗୁଡ଼ିକୁ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇଛି। ୮୨ଟି ମୃତଦେହ ମଧ୍ୟରୁ ଅଧିକାଂଶ ଚିହ୍ନଟ ହୋଇପାରି ନଥିବା ବେଳେ ଆଉ କିଛିର ଏକାଧିକ ଦାବିଦାର ରହିଥିବାରୁ ହସ୍ତାନ୍ତର ହୋଇପାରିନି। ଏପରିସ୍ଥିତିରେ ମୃତଦେହ ଗୁଡ଼ିକର ଡିଏନ୍ଏ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଗତକାଲି ୩୫ଟି ନୁମନାର ଡିଏନ୍ଏନ୍ ଟେଷ୍ଟ ପାଇଁ ପଠାଯାଇଛି।