ପିଲାଙ୍କୁ ଭୂତ ଭୟ! ଭଙ୍ଗା ଯାଇପାରେ ବାହାନଗା ହାଇସ୍କୁଲ
ମୃତଦେହକୁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା।

ଓଏଲ୍ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଅନେକ ମୃତଦେହକୁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ଯାହାକୁ ନେଇ ପିଲାଙ୍କ ମନରେ ଭୟ ସୃଷ୍ଟି ହେଉଥିବା କୁହାଯାଉଛି।
ଆଜି ସ୍କୁଲ ପରିଦର୍ଶନରେ ଆସିଥିଲେ ସ୍ଥାନୀୟ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନ ବେଳେ ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି, ଭଙ୍ଗା ଯାଇପାରେ ବାହାନଗା ହାଇସ୍କୁଲରେ ମୃତଦେହ ରହିଥିବା ଘର। ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଉକ୍ତ ଘରେ ରଖାଯାଇଥିଲା। ପିଲା ଡରୁଥିବାରୁ ଉକ୍ତ ଘରକୁ ଉକ୍ତ ଘରକୁ ଭଙ୍ଗାଯାଇପାରେ। ସ୍କୁଲ୍ ପରିଚାଳନା କମିଟି ଏନେଇ ନିଷ୍ପତ୍ତି ଜଣାଇଲେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅନ୍ୟପଟେ, ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ଛାତିଥରା ରେଳ ଦୁର୍ଘଟଣାର ତଦନ୍ତ ଚାଲିଥିବାବେଳେ ଏବେ ଯାଏଁ ଅନେକ ଶବର ପରିଚୟ ମିଳିପାରିନାହିଁ। ବାହାନଗା ଟ୍ରେନ ଟ୍ରାଜେଡି ୧୯୩ ମୃତଦେହରୁ ୧୧୧ ମୃତଦେହ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି। ଚିହ୍ନିତ ୧୧୧ ମୃତଦେହ ହସ୍ତାନ୍ତର ହୋଇଛି କହିଲେ ବିଏମସି କମିଶନର। ଆହୁରି ୮୨ ମୃତଦେହ ଏମ୍ସରେ ରହିଛି। ଡିଏନ୍ଏ ଟେଷ୍ଟ ପ୍ରକ୍ରିୟା ଚାଲିଛି। ମୃତଦେହ ପାଇଁ ଆସୁଥିବା ଲୋକଙ୍କ ଖାଇବା, ରହିବା ବ୍ୟବସ୍ଥା ହୋଇଥିବା ବିଏମସି କମିଶନର କହିଛନ୍ତି।