‘କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ଜବାବ ଦେବେ ଢେଙ୍କାନାଳବାସୀ’
ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ଗୋଟି ଚଳାଇବା ଆରମ୍ଭ କଲେଣି। ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗସ୍ତରେ ଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଦଳର ନେତୃବୃନ୍ଦଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୀର ସଂଗ୍ରାମୀ ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ ଓ ଶହୀଦ ବାଜି ରାଉତଙ୍କ ଏହି ପୁଣ୍ୟ ଜନ୍ମଭୂମିକୁ ମୋର ପ୍ରଣାମ। ଆଜି ଦେଶରେ ମୋଦିଜୀ ଜନସେବକର ଦାୟିତ୍ୱ ନେବା ସହ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଧାନର ଏମଏସପି ପ୍ରତିବର୍ଷ ବୃଦ୍ଧି କରିବା ସହ ଚାଷୀ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି। ଗରିବଙ୍କ ସେବା ସହ ମାଆ, ଭଉଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ୩.୨୫ କୋଟି ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଢେଙ୍କାନାଳରେ ପିଏମ ଆବାସ ଗ୍ରାମୀଣରେ ପ୍ରାୟ ୮୦ହଜାର ଏବଂ ପିଏମ ଆବାସ ସହରରେ ପ୍ରାୟ ୧୦ହଜାର ଘର ମୋଦି ଦେଇଛନ୍ତି।
ଅନ୍ୟପଟେ, କଙ୍କଡାହାଡ ଓ ଢେଙ୍କାନାଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ଓଡ଼ିଶାରେ ଦାୟିତ୍ୱରେ ଥିବା ଲୋକମାନେ ସେହି ଟଙ୍କାକୁ ଗରିବ ଲୋକଙ୍କ ବିକାଶ କାମରେ ଖର୍ଚ୍ଚ ନ କରୁନାହାନ୍ତି, ଯାହା ଦୁଃଖଦାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅଞ୍ଚଳର ମାଆ ଭଉଣୀମାନେ ଗାଁରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରୁଛନ୍ତି। ରାମିଆଳ କେନାଲରେ ଥିବା ପାଣିର ସୁବିନିଯୋଗ ହେଉନାହିଁ। ଢେଙ୍କାନାଳବାସୀ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ଏହାର ଜବାବ ନିଶ୍ଚୟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।