ଏମ୍ସରେ ଚାଲିଛି ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ ପ୍ରକ୍ରିୟା, ରିପୋର୍ଟକୁ ଅପେକ୍ଷା
ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।

ଓଏଲ୍ ବ୍ୟୁରୋ: ଗତ ୨ ତାରିଖରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।
ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା।
ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ଛାତିଥରା ରେଳ ଦୁର୍ଘଟଣାର ତଦନ୍ତ ଚାଲିଥିବାବେଳେ ଏବେ ଯାଏଁ ଅନେକ ଶବର ପରିଚୟ ମିଳିପାରିନାହିଁ। ମୃତଦେହ ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟଙ୍କ ସୂଚନା। ମୃତଦେହ ଏମ୍ସରେ ଥିବାରୁ ବହୁ ଲୋକ ଆସୁଛନ୍ତି। ଏମ୍ସ ପକ୍ଷରୁ ୧୬୨ ମୃତଦେହ ରିସିଭ କରାଯାଇଥିଲା, ୮୦ଟି ମୃତଦେହ ହସ୍ତାନ୍ତର କରାଯାଇଛି। ଡିଏନଏ ସାମ୍ପୁଲ ନିଆଯାଉଛି, ରିପୋର୍ଟ ଆସିଲେ ହସ୍ତାନ୍ତର ହେବ ଆଉ ୮୨ ଶବ।
ବାହାନଗା ଟ୍ରେନ ଟ୍ରାଜେଡି ୧୯୩ ମୃତଦେହରୁ ୧୧୧ ମୃତଦେହ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି। ଚିହ୍ନିତ ୧୧୧ ମୃତଦେହ ହସ୍ତାନ୍ତର ହୋଇଛି କହିଲେ ବିଏମସି କମିଶନର। ଆହୁରି ୮୨ ମୃତଦେହ ଏମ୍ସରେ ରହିଛି। ଡିଏନ୍ଏ ଟେଷ୍ଟ ପ୍ରକ୍ରିୟା ଚାଲିଛି। ମୃତଦେହ ପାଇଁ ଆସୁଥିବା ଲୋକଙ୍କ ଖାଇବା, ରହିବା ବ୍ୟବସ୍ଥା ହୋଇଥିବା ବିଏମସି କମିଶନର କହିଛନ୍ତି।