Odisha Link
Bridging the Missing Links in Odisha

‘ଓଡ଼ିଶାରେ ଯାହା ବି ହେଉଛି, ନବୀନଙ୍କ ପରାମର୍ଶରେ ହେଉଛି’

ପ୍ରଶାସନିକ ଅଧିକାରୀ ନିଜ ନିଜ ସୀମାରେ ଅଛନ୍ତି କହିଛନ୍ତି ବୋଲି ପ୍ରଫୁଲ୍ଲ ସାମଲ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତାଙ୍କ ମନ୍ତବ୍ୟ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ କାଉଣ୍ଟର। ସେ କହିଛନ୍ତି, ଯେଉଁମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ କ୍ଷମତା ନାହିଁ, ସେମାନେ ଅଜ୍ଞ। ବିରୋଧୀଙ୍କ ମତିଭ୍ରମ ହେଲାଣି, ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି ଜାଣିନାହାନ୍ତି। ଓଡ଼ିଶାରେ ଯାହା ବି ହେଉଛି, ନବୀନଙ୍କ ପରାମର୍ଶରେ ହେଉଛି। ଯେଉଁମାନେ କରୁଛନ୍ତି ସେମାନେ ଜଣେ ଜଣେ ମାଧ୍ୟମ। ଜିଲ୍ଲାରେ ବିଧାୟକ, ପ୍ରଶାସନିକ ଅଧିକାରୀ ନିଜ ନିଜ ସୀମାରେ ଅଛନ୍ତି କହିଛନ୍ତି ବୋଲି ପ୍ରଫୁଲ୍ଲ ସାମଲ।

ଆଜି ପ୍ରେସମିଟ ମାଧ୍ୟମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଜଣେ ସଚିବସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି। ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ। ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ। ରାଜ୍ୟରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ଆମମାନଙ୍କ କାମ ଲୋକଙ୍କ ପାଖକୁ ଯିବା, ସମସ୍ୟା ବୁଝିବା, ହେଲେ ଏହି କାମ ସଚିବ କରୁଛନ୍ତି।

ଜଣେ ସଚିବସ୍ତରୀୟ ଅଧିକାରୀ ଓଡ଼ିଶାର ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି। ଉକ୍ତ ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨/୩ ମନ୍ତ୍ରୀ ସେଠିକୁ ଯାଇ ବ୍ୟବସ୍ଥା କରୁଛନ୍ତି। ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହୁଛନ୍ତି, ଆଉ କେହି ଦିଶୁନାହାନ୍ତି। ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ବୀକାର କରିବାକୁ ପଡୁଛି। ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି। ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ। ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି। ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି। ଓଡ଼ିଶା ଅନୁଶାସନ ପ୍ରିୟ ରାଜ୍ୟ, ଏଠି ଏହା ଚାଲିବନି ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

Leave A Reply

Your email address will not be published.