Odisha Link
Bridging the Missing Links in Odisha

ମହାପ୍ରସାଦ ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗକୁ ଖଣ୍ଡନ କଲେ ମହାସୁଆର

ଅବଢ଼ା ନୁହେଁ, ଶଙ୍ଖୁଡି ଭୋଗ କରି ଯୋଗାଉଥିବା ପଚରାଉଚରା ବେଳେ ଜଣାପଡ଼ିଛି

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ନୀତିନିୟମରେ ଚାଲିଛି ମହାପ୍ରଭୁଙ୍କ ନୀତିକରନ୍ତି। ଏହାରି ମଧ୍ୟରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ପୁରୀରେ ମହାପ୍ରସାଦ ନାଁରେ ନକଲି ଅବଢ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମହାପ୍ରସାଦ ନାଁରେ ଠକେଇ ହୋଇଥିବା ନେଇ ଥାନାରେ ଦିଆଯାଇଛି ଏତଲା। ପୁରୀରେ ନକଲି ଅବଢା ବିକ୍ରି ଅଭିଯୋଗକୁ ଖଣ୍ଡନ କଲେ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର। ଅବଢ଼ା ନୁହେଁ, ଶଙ୍ଖୁଡି ଭୋଗ କରି ଯୋଗାଉଥିବା ପଚରାଉଚରା ବେଳେ ଜଣାପଡ଼ିଛି ବୋଲି କହିଛନ୍ତି ନାରାୟଣ ମହାସୁଆର।

ଖବର ଅନୁସାରେ, ଶୁକ୍ରବାର ଦିନ ପାଇକସାହି ସାପୁଆ ମଠରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଶୈଳୀରେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ଆଦି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା। ମଠ ପରିସରରେ ଏକ ସ୍ଥାନରେ ପନିପରିବା କଟା ପରେ ପାଖ ପଡ଼ିଆରେ ରୋଷେଇବାସର ଆୟୋଜନ କରାଯାଇଥିଲା। ଟେଣ୍ଟ୍‌ ଭିତରେ କିଛି ଜାଗାରେ କୋଇଲା ଗଦାଇ ଏଥିରେ ଅଗ୍ନି ସଂଯୋଗ କରି ଏଥିରେ ଅନ୍ନ, ଡାଲି ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା।

ଅବିକଳ ଅବଢ଼ା ଭଳି ଦିଶୁଥିବା ଏହି ବାଇହାଣ୍ଡି ଭର୍ତ୍ତି ଅନ୍ନ, ଡାଲି ଆଦିକୁ ଭକ୍ତଙ୍କୁ ମହାପ୍ରସାଦ ନାଁରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଥିଲା ବୋଲି ଅଭିଯୋଗ ହୋଇଛି। କିଛି ସୁଆର ସେବକ ବି ଏଥିରେ ହାତ ମିଳାଇଥିବା ଅଭିଯୋଗ ହୋଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଭକ୍ତ ମହଲରୁ ଦାବି ହୋଇଛି। କିନ୍ତୁ ସମ୍ପୃକ୍ତ ରୋଷେୟାମାନେ ଏହାକୁ ସ୍ଥାନୀୟ ଅଞ୍ଚଳର ଏକ ଭୋଜି ପାଇଁ ପ୍ରସ୍ତୁତ କରୁଥିବା କହିଛନ୍ତି।

Leave A Reply

Your email address will not be published.