Odisha Link
Bridging the Missing Links in Odisha

‘ବିଜେପି ସାଂସଦ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର ସାଂସଦଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଶ୍ରୀମୟୀ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଶନିବାର ଅପରାହ୍ନରେ ପ୍ରେସମିଟ୍ କରିବା ସହିତ ଭୁବନେଶ୍ୱର ସାଂସଦଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଶ୍ରୀମୟୀ।

ଶ୍ରୀମୟୀ ମିଶ୍ର କହିଛନ୍ତି, ବିଜେପି ସାଂସଦ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି। ବିକାଶମୂଳକ କାର୍ଯ୍ୟ ଦେଖି ସେ ଭୟଭୀତ। ତେବେ ବିକାଶମୂଳକ କାର୍ଯ୍ୟ କାହିଁକି ତାଙ୍କୁ ପସନ୍ଦ ଆସୁନି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। ଯେବେଠୁ ସେ ଚାକିରି ଛାଡି ରାଜନୀତିରେ ସାମିଲ ହୋଇଛନ୍ତି, ସେବେଠୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। ହେଲେ ଆଶ୍ଚର୍ଯ୍ୟର କଥା, ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରିପାରିନାହାଁନ୍ତି ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର।

ଖବର ଅନୁସାରେ, ଆଜି ପ୍ରେସମିଟ ମାଧ୍ୟମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଜଣେ ସଚିବସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି। ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ। ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ। ରାଜ୍ୟରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ଆମମାନଙ୍କ କାମ ଲୋକଙ୍କ ପାଖକୁ ଯିବା, ସମସ୍ୟା ବୁଝିବା, ହେଲେ ଏହି କାମ ସଚିବ କରୁଛନ୍ତି।

ଜଣେ ସଚିବସ୍ତରୀୟ ଅଧିକାରୀ ଓଡ଼ିଶାର ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି। ଉକ୍ତ ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨/୩ ମନ୍ତ୍ରୀ ସେଠିକୁ ଯାଇ ବ୍ୟବସ୍ଥା କରୁଛନ୍ତି। ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହୁଛନ୍ତି, ଆଉ କେହି ଦିଶୁନାହାନ୍ତି। ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ବୀକାର କରିବାକୁ ପଡୁଛି। ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି। ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ। ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି। ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି। ଓଡ଼ିଶା ଅନୁଶାସନ ପ୍ରିୟ ରାଜ୍ୟ, ଏଠି ଏହା ଚାଲିବନି ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

Leave A Reply

Your email address will not be published.