ତିନି ରଥରେ ଆଜ୍ଞାମାଳ ବିଜେ, ବଡ଼ଦେଉଳ ସମ୍ମୁଖକୁ ଅଣାଯିବ ୩ ରଥ
ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ରଥଟଣା ଓ ଭିଡ଼ ନିୟନ୍ତ୍ରଣ ପାଇଁ ବନ୍ଦୋବସ୍ତ ହୋଇଛି

ଓଏଲ୍ ବ୍ୟୁରୋ: ବ୍ରହ୍ମାଣ୍ଡ ଠାକୁରଙ୍କୁ ଦର୍ଶନ କରିବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଅପେକ୍ଷାରତ। ସଜେଇ ହେଇଛି ବଡଦାଣ୍ଡ, ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ଠାକୁର। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରୁ ବାହାରି ରଥେ ବିଜେ କରିବେ କୋଟି ଓଡ଼ିଆର ମଉଡ଼ ମଣି। ରଥଯାତ୍ରା ପୂର୍ବରୁ ଚାଲିଛି ନୀତିକାନ୍ତି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ। ସକାଳ ଧୂପ ପରେ ତିନି ରଥକୁ ଆଜ୍ଞାମାଳ ବିଜେ। ପୂଜାପଣ୍ଡା, ସାମନ୍ତଙ୍କ ଦ୍ୱାରା ୩ରଥକୁ ଆଜ୍ଞାମାଳ ବିଜେ କରାଯାଇଛି। ପରେ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯିବ ୩ ରଥ।
ଅନ୍ୟପଟେ, ରଥଯାତ୍ରା ଅବସରରେ ପୁରୀ ସମୁଦ୍ରରେ ପଇଁତରା ମାରୁଛି ତଟ ସୁରକ୍ଷା ବାହିନୀର ହେଲିକପ୍ଟର। ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ହେବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ରଥଟଣା ଓ ଭିଡ଼ ନିୟନ୍ତ୍ରଣ ପାଇଁ ବନ୍ଦୋବସ୍ତ ହୋଇଛି। ଟ୍ରାଫିକ୍ ପରିଚାଳନା ପାଇଁ ସହରକୁ ମୋଟ୍ ୧୪ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପୁରୀ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।