Odisha Link
Bridging the Missing Links in Odisha

‘ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିଜେ ଶାସନ ଭାର ସମ୍ଭାଳୁଛନ୍ତି ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ’

ଦେଶର କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତାଙ୍କ ମନ୍ତବ୍ୟ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କାଉଣ୍ଟର କରିଥିଲେ। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ମାରିଛନ୍ତି ପାଲଟା ବାଣ। ତେବେ ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲେ ସନ୍ତୋଷ ସିଂ ସାଲୁଜା।

ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିଜେ ଶାସନ ଭାର ସମ୍ଭାଳୁଛନ୍ତି ସ୍ପଷ୍ଟୀକରଣ ଦିଅନ୍ତୁ। ଲୋକେ ନବୀନଙ୍କୁ ଭୋଟ୍ ଦେଇଛନ୍ତି, ସେ ଆସନ୍ତୁ ଲୋକେ ଚାହାନ୍ତି। ଦୁର୍ଭାଗ୍ୟଜନକ ସ୍ଥିତି, ଅଫିସରଙ୍କ ଗସ୍ତ ଲାଗି ମନ୍ତ୍ରୀ ବ୍ୟବସ୍ଥା କରୁଛନ୍ତି। ଦେଶର କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ। ଓଡ଼ିଶାରେ ଅଫିସର ଶାସନ ଚାଲିଛି, ଯାହାକି ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି।

ଅନ୍ୟପଟେ, ଅପରାଜିତା ଷଡ଼ଙ୍ଗୀ ଉଦ୍‌ବେଗ ପ୍ରକାଶ କରି ନିଜର ଟ୍ୱିଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି ବୋଲି କାଲି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ। ଏହା ଏକ ଗୁରୁତର ପ୍ରସଙ୍ଗ, ସେ କାହିଁକି ଅକ୍ଷମ ଓ ତାଙ୍କର କ’ଣ ହୋଇଛି! ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ ବୋଲି ଅପରାଜିତା ଷଡ଼ଙ୍ଗୀ ଟ୍ୱିଟରେ ଲେଖିଛନ୍ତି।

ପୂର୍ବରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ଯେଉଁମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ କ୍ଷମତା ନାହିଁ, ସେମାନେ ଅଜ୍ଞ। ବିରୋଧୀଙ୍କ ମତିଭ୍ରମ ହେଲାଣି, ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି ଜାଣିନାହାନ୍ତି। ଓଡ଼ିଶାରେ ଯାହା ବି ହେଉଛି, ନବୀନଙ୍କ ପରାମର୍ଶରେ ହେଉଛି। ଯେଉଁମାନେ କରୁଛନ୍ତି ସେମାନେ ଜଣେ ଜଣେ ମାଧ୍ୟମ। ଜିଲ୍ଲାରେ ବିଧାୟକ, ପ୍ରଶାସନିକ ଅଧିକାରୀ ନିଜ ନିଜ ସୀମାରେ ଅଛନ୍ତି କହିଥିଲେ ବୋଲି ପ୍ରଫୁଲ୍ଲ ସାମଲ।

ଖବର ଅନୁସାରେ, ପ୍ରେସମିଟ ମାଧ୍ୟମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଜଣେ ସଚିବସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି। ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ। ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ। ରାଜ୍ୟରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି। ଆମମାନଙ୍କ କାମ ଲୋକଙ୍କ ପାଖକୁ ଯିବା, ସମସ୍ୟା ବୁଝିବା, ହେଲେ ଏହି କାମ ସଚିବ କରୁଛନ୍ତି।

ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨/୩ ମନ୍ତ୍ରୀ ସେଠିକୁ ଯାଇ ବ୍ୟବସ୍ଥା କରୁଛନ୍ତି। ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହୁଛନ୍ତି, ଆଉ କେହି ଦିଶୁନାହାନ୍ତି। ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ବୀକାର କରିବାକୁ ପଡୁଛି। ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି। ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ। ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି। ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି। ଓଡ଼ିଶା ଅନୁଶାସନ ପ୍ରିୟ ରାଜ୍ୟ, ଏଠି ଏହା ଚାଲିବନି ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

Leave A Reply

Your email address will not be published.