ପୁରୀରେ ଗୁଳୁଗୁଳିରେ ସନ୍ତୁଳି ହେବେ ଶ୍ରଦ୍ଧାଳୁ, ପାଣିପାଗ ବିଭାଗର ସୂଚନା

ଓଏଲ୍ ବ୍ୟୁରୋ: ବଡ଼ଠାକରଙ୍କ ବଡ଼ଯାତ୍ରା ପାଇଁ ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । କଳା ସାଆନ୍ତେଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗି ରହିଛି ଭକ୍ତଙ୍କ ଗହଳି। ତେବେ ଆଜି କିଭଳି ରହିବ ପୁରୀର ପାଣିପାଗ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସୂଚନା।
ଆଜି ଶ୍ରୀକ୍ଷେତ୍ରର ଆକାଶ ପ୍ରାୟ ମେଘ ଶୂନ୍ୟ ରହିଛି । ଫଳରେ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ଗୁଳୁଗୁଳି ଲାଗି ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ଖରା ଓ ଗୁଳୁଗୁଳି ରହୁଥିବାରୁ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଆଜି ପୁରୀ ସହରରେ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ପବନ ଘଣ୍ଟା ପ୍ରତି ୭ରୁ ୧୦ କିଲୋମିଟର ବେଗରେ ପବନ ବହୁଛି। ସକାଳ ୮ଟା ୩୦ ସୁଦ୍ଧା ପୁରୀର ତାପମାତ୍ରା ୩୩.୪ ଡିଗ୍ରୀ ରହିଥିବା ବେଳେ ୭୬% ଆଦ୍ରତା ରେକର୍ଡ ହୋଇଛି।
ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି। ଏବେ ପ୍ରଭୁ ବଳଭଦ୍ର ରଥରେ ବିଜେ କରି ସାରିଥିବା ବେଳେ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି।
ମଙ୍ଗଳବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ସରିଥିଲା। ବେଶ ଶେଷ ହୋଇ ୮ଟାରୁ ୯ଟା ଖେଚୁଡ଼ି ଭୋଗ ହୋଇଥିଲା। ଏହାପରେ ରଥ ପ୍ରତିଷ୍ଠା ହୋଇଥିଲା। ମଙ୍ଗଳାର୍ପଣ ପରେ ଖୁଣ୍ଟିଆ ‘ମଣିମା’ ଡାକ ଦେବା ସହିତ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଛି। ସାଢ଼େ ୧୨ଟାରେ ପହଣ୍ଡି ଶେଷ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି।
ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।୧୮୭ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।