ଆଗକୁ ଲୋକସଭା ନିର୍ବାଚନ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ନଡ୍ଡା
ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ।
![](https://www.odishalink.com/wp-content/uploads/2022/12/JP-Nadda-750x430.jpg)
ଓଏଲ୍ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ବର୍ଷ ପୂର୍ତ୍ତି ଅବସରରେ ଏକ ମାସ ବ୍ୟାପୀ ସାରା ଦେଶରେ ମହା ଜନସମ୍ପର୍କ ଅଭିଯାନ କରୁଛି ବିଜେପି।
କହିବାକୁ ଗଲେ ବିଜେପି ୨୦୨୪ ନିର୍ବାଚନ ପାଇଁ ଏକ ପ୍ରକାର ପାକ୍ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଝାରସୁଗୁଡ଼ାରେ ହେବ ବରଗଡ଼ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ବୈଠକ। ଏହି ବୈଠକରେ ଯୋଗ ଦେବା ପାଇଁ ଆଜି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବେ ଜେ.ପି. ନଡ୍ଡା।
ସାରା ଦେଶରେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ପକ୍ଷରୁ ମେ ୩୧ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩୧ରେ ରାଜସ୍ଥାନର ଆଜମେରଠାରେ ମହାରାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ଟି ମହାରାଲିର ଆୟୋଜନ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା।