ବାଇଡେନଙ୍କୁ ପିଏମ୍ ମୋଦିଙ୍କ ଉପହାର
ବାଇଡେନଙ୍କୁ ୭.୫ କ୍ୟାରେଟ ଲ୍ୟାବରେ ବିକଶିତ ହୋଇଥିବା ସବୁଜ ହୀରା ଉପହାର
ଓଏଲ୍ ବ୍ୟୁରୋ: ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ବାଇଡେନ୍। ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ସହ ବହୁ ମୂଲ୍ୟ ଉପହାର ବିନିମୟ କରିଛନ୍ତି ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ୭.୫ କ୍ୟାରେଟ ଲ୍ୟାବରେ ବିକଶିତ ହୋଇଥିବା ସବୁଜ ହୀରା ଉପହାର ଦେଇଛନ୍ତି। ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଉପହାର ମଧ୍ୟରେ ଏକ ସ୍ବତନ୍ତ୍ର ଚନ୍ଦନ ବାକ୍ସ ରହିଛି। ଏହା ଜୟପୁରର କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ମହୀଶୂରର ଚନ୍ଦନ କାଠରେ ନିର୍ମିତ ହୋଇଛି। ମୋଦି ଉପହାର ସ୍ୱରୂପ ଦେଇଥିବା ଏହି ବାକ୍ସରେ ଭଗବାନ ଗଣେଶଙ୍କର ଏକ ପ୍ରତିମା ଅଛି। ଏହି ପ୍ରତିମାକୁ କୋଲକାତାର ରୁପା କାରିଗରଙ୍କ ପରିବାର ତିଆରି କରିଛନ୍ତି। ବାକ୍ସରେ ଏକ ରୁପା ଦୀପ ମଧ୍ୟ ଅଛି।
ପ୍ରଧାନମନ୍ତ୍ରୀ ମୋଦି ଲଣ୍ଡନର ଫାବର ଆଣ୍ଡ ଫାବର ଲିମିଟେଡ ଦ୍ୱାରା ପ୍ରକାଶିତ ତଥା ବିଶ୍ୱବିଦ୍ୟାଳୟ ପ୍ରେସ ଗ୍ଲାସଗୋରେ ମୁଦ୍ରିତ ‘ ଦ ଟେନ ପ୍ରିନ୍ସିପାଲ ଉପନିଷଦ’ ପୁସ୍ତକର ପ୍ରଥମ ସଂସ୍କରଣର ଏକ ନକଲ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଦାନ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପିଏମ ମୋଦି ଦେଇଥିବା ଉପହାରରେ ପଶ୍ଚିମବଙ୍ଗର କୁଶଳୀ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ରୁପା ନଡ଼ିଆ ରହିଛି। ଏହା ସହିତ ପଞ୍ଜାବ ଘିଅ, ମହାରାଷ୍ଟ୍ର ଗୁଡ଼, ଗୁଜରାଟ ଲୁଣ ଆଦି ରହିଥିବା ଜାଣିବାକୁ ମିଳିଛି।