ଶ୍ରୀଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନ ସନ୍ଧ୍ୟା ୫ଟା ପରେ ବନ୍ଦ
ଚାରମାଳ ବନ୍ଧା, ସେନାପଟା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ହେବ।
ଓଏଲ୍ ବ୍ୟୁରୋ: ଆଡ଼ପ ମଣ୍ଡପରେ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ। ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି। ସନ୍ଧ୍ୟା ୫ଟା ପରେ ଆଡ଼ପ ମଣ୍ଡପ ଦର୍ଶନ ବନ୍ଦ। ୫ଟା ପରେ ଆରମ୍ଭ ହେବ ବାହୁଡ଼ା ପ୍ରସ୍ତୁତି। ଚାରମାଳ ବନ୍ଧା, ସେନାପଟା ଲାଗି ନୀତି ପାଇଁ ଦର୍ଶନ ବନ୍ଦ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏପଟେ ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼।
ଅନ୍ୟପଟେ, ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ରଥଯାତ୍ରା ଆଦ୍ୟପର୍ବରେ ପାଳିତ ହେଉଥିବା ଏକ ବିଶେଷ ପର୍ବ। ମହାପ୍ରଭୁଙ୍କ ଉପରେ ରୋଷ କରି ଶ୍ରୀମନ୍ଦିରୁ ଗୁଣ୍ଡିଚା ମନ୍ଦିରକୁ ଆସିବେ ମା’ ଭଗବତୀ। ଆଜି ମାନ ଅଭିମାନର ଜ୍ୱଳନ୍ତ ଯାତ ହେରାପଞ୍ଚମୀ। ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ।
ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି। ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି।
ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି। ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି। ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ। ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ।