କଳାହାଣ୍ଡିରେ ମାଓ ପୋଷ୍ଟର, ଜୁନ ୨୫ରେ ବନ୍ଦ ପାଳନ ପାଇଁ ମାଓବାଦୀଙ୍କ ଆହ୍ଵାନ
ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୩ ମାଓବାଦୀ
ଓଏଲ୍ ବ୍ୟୁରୋ: କଳାହାଣ୍ଡି ଏମ ରାମପୁର ଟାପରାଙ୍ଗ ଗାଁରେ ମାଓ ପୋଷ୍ଟର। ପୂର୍ବରୁ ଟାପରାଙ୍ଗରେ ମେ ୯ରେ ହୋଇଥିଲା ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୩ ମାଓବାଦୀ। ମାଓବାଦୀ ନିହତ ପରେ ଜୁନ ୨୫କୁ କଳାହାଣ୍ଡି ବନ୍ଦ ପାଳନ ପାଇଁ ମାଓବାଦୀଙ୍କ ଆହ୍ଵାନ।
ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାର୍ସାଲି ଗ୍ରାମରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଥିଲା। ସେ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଓ ଗ୍ରାମପଞ୍ଚାୟତ କୋଠାର କାନ୍ଥରେ ତିନଟି କୁଇ ଓ ଓଡ଼ିଆ ଭାଷାରେ ଲିଖିତ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।
ମାଓବାଦୀ ମାନେ ନିୟମଗିରି ଅଞ୍ଚଳର ମହିଳାମାନଙ୍କୁ ମାଓ ସଂଗଠନରେ ସାମିଲ କରି ନିରୀହ ଆଦିବାସୀ ଡଙ୍ଗରିଆମାନଙ୍କ ସରଳତାର ସୁଯୋଗ ନେଇ ଝିଅ ବୋହୂଙ୍କ ଇଜ୍ଜତ ସହିତ ଖେଳୁଛନ୍ତି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ହୋଇଥିଲା।
ଗତ କିଛି ବର୍ଷ ମଧ୍ୟରେ କିଛି ନାବାଳିକା ଝିଅମାନଙ୍କୁ ମାଓ ସଂଗଠନରେ ସାମିଲ କରି ଯୌନ ଅତ୍ୟାଚାର କରି ଗର୍ଭନଷ୍ଟ କରିଛନ୍ତି। ଅନେକ ଜୀବନ ନଷ୍ଟ କରିବା ସହ ମାଓ ସଂଗଠନ ନିରୀହ ଲୋକଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଉନାହିଁ।
ନିୟମଗିରିରେ ଦେଖିବାକୁ ମିଳିଥିବା ପୋଷ୍ଟରରେ ଅନେକ କଥା ଲେଖା ରହିଥିବାବେବେଳେ, ମାନବାଧିକାର ଅନୁଷ୍ଠାନକୁ ମଧ୍ୟ ଅନୁରୋଧ କରି କହିଛନ୍ତି ଯେ ଡଙ୍ଗରିଆ ଜନଜାତିକୁ ରକ୍ଷାକରିବା ପାଇଁ ଧ୍ବଂସକାରୀ ମାଓବାଦୀ ଏହି ଅଞ୍ଚଳରେ ପ୍ରବେଶ କରିବାପାଇଁ ବାରଣ କରାଯାଉ।