Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ପୂଜା ନାମରେ ଅନ୍‌ଲାଇନ୍ ଠକେଇ, ସତ୍ୟତା ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି

ଉତ୍ସବ ନାମକ ଆପରେ ଚାଲିଛି ଏହି ଠକେଇ।

ଓଏଲ୍‌ ବ୍ୟୁରୋ: ବଡ଼ ଠାକୁରଙ୍କୁ ନେଇ ବଡ଼ ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାବାହୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲିଛି ମହା ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି ‘ଉତ୍ସବ’ ନାମକ ଏକ ଅନଲାଇନ୍‌ ପ୍ଲାଟଫର୍ମ। ମହାପ୍ରଭୁଙ୍କ ନାମକୁ ନେଇ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ କରାଯାଉଛି। ଉତ୍ସବ ନାମକ ଆପରେ ଚାଲିଛି ଏହି ଠକେଇ। ହଜାର ହଜାର ଲୋକ ମହାବାହୁଙ୍କ ଭାବଭକ୍ତିରେ ଅନ୍ଧ ହୋଇ ଏହି ଠକେଇର ଶିକାର ହେଉଛନ୍ତି।

ଶ୍ରୀମନ୍ଦିରରେ ପୂଜା କରାଇବା ନାଁରେ ଅନଲାଇନ୍ ଠକେଇ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୁଲିସ। ଆପ୍‌ର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି। ଉତ୍ସବ ଆପ୍ ବିଷୟରେ ସୂଚନା ଦେବାକୁ ଚିଠି କରିଛି ପୁଲିସ। ଆବଶ୍ୟକ ସ୍ଥଳେ ଏହି ଠକେଇ ଆପ୍ ବିରୋଧରେ ଏତଲା ଦେବାକୁ ଚିଠିରେ କୁହାଯାଇଛି।

ଖବର ଅନୁସାରେ, ଏହି ଅନ୍‌ଲାଇନ ଆପ୍‌କୁ ପଶ୍ଚିମବଙ୍ଗର ଏକ ଟିମ୍‌ ପ୍ରସ୍ତୁତ କରିଛନ୍ତି। ଏହି ଆପ୍‌ ଭାରତର ଶ୍ରେଷ୍ଠ ଆଧ୍ୟାତ୍ମିକ ନେଟ୍‌ଓ୍ବର୍କ ଆପ୍‌ ହୋଇଥିବା ପ୍ରଚାର କରାଯାଉଛି। ଏପରିକି ଅନ୍‌ଲାଇନ୍‌ ପୂଜା କରିବାର ସୁଯୋଗ ମିଳୁଥିବା କୁହାଯାଉଛି। ‘ଉତ୍ସବ’ ଆପ୍‌ ବିଜ୍ଞାପନରେ ଆହୁରି କୁହାଯାଉଛି ଯେ, ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪,୫୦୧ ଟଙ୍କା ପୈଠ କରିବାକୁ ପଡ଼ିବ।

ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବାକୁ ହେଲେ ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ ବୋଲି କୁହାଯାଇଛି। ମନ୍ଦିରରେ ନାଁ ଓ ଗୋତ୍ରରେ ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଦେବାକୁ ଆପ୍‌ରେ ଉଲ୍ଲେଖ ରହିଛି। ଯାହାକୁ ସେବାୟତମାନେ ବିରୋଧ କରିଛନ୍ତି।

ସବୁଠୁ ବଡ଼ କଥା ହେଲା ଆପ୍‌ ମାଧ୍ୟମରେ ଖୁଲମଖୁଲା ଚାନ୍ଦା ଆଦାୟ କଥା ମଧ୍ୟ କୁହାଯାଇଛି। ଆପ୍‌ରେ କୁହାଯାଇଛି, ଯେ କୌଣସି ସ୍ଥାନରେ ରହିଥିଲେ ମଧ୍ୟ ଭକ୍ତମାନେ ଅନଲାଇନ୍‌ ବୁକିଂ କରିପାରିବେ। ମହାପ୍ରଭୁଙ୍କ ମସ୍ତିଷ୍କରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି କୁହାଯାଇଛି।

ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ କୁହାଯାଇଛି। ମହାପ୍ରଭୁଙ୍କୁ ଭୋଗ ଲଗେଇବା ପାଇଁ ପୃଥକ୍‌ ପୃଥକ୍‌ ରେଟ୍ ଚାର୍ଟ ରହିଛି। ମାସିକିଆ ଭୋଗ କଲେ ୮୦୦୦ ଟଙ୍କା। ଏପରିକି ରଥରେ ଭୋଗ ପାଇଁ ୪୫୦୦ ଟଙ୍କା ଦେଇ ବୁକିଂ କଲେଣି ୩,୭୦୦ ଭକ୍ତ। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହିତ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଜଗନ୍ନାଥ ସେନା ବିରୋଧ କରି ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହ ଏନେ ଥାନାରେ ଲିଖିତ ଅଭିଯୋଗ କରିଛି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.