ଦିଗପହଣ୍ଡି ବସ୍ ଦୁର୍ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ ବୋଲି କହିଛନ୍ତି

ଓଏଲ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ ସୂଚନା ଦେଇ କହିଛନ୍ତି, ଯେଉଁ ବସ୍ରେ ବସିଥିବା ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି, ସେହି ବସର ପରମିଟ୍ କି ଇନସୁରାନ୍ସ ମଧ୍ୟ ନଥିବା ଜଣାପଡିଛି।
ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା ବୋଲି ସେ କହିଛନ୍ତି। ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ ବୋଲି କହିଛନ୍ତି ପରିବହନ ଅଧିକାରୀ। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦିଗପହଣ୍ଡି ବସ୍ ଦୁର୍ଘଟଣା ନେଇ ଥାନାରେ ଏତଲା ଦିଆଯାଇଥିଲା।
ମିନି ବସର ପରମିଟ୍ ନଥିବା ପ୍ରଥାମିକ ତଦନ୍ତରୁ ସୂଚନା ମିଳିଥିଲା। ରାସ୍ତାରେ ଗଡୁଥିଲା ୨୫ବର୍ଷ ୩ ମାସର ଗାଡି। ଗାଡି ଅଧିକ ପୁରୁଣା ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି। ବିନା ପରମିଟରେ ମିନି ବସ୍ ଯାଇଥିଲା। ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଗାଡିର ଫିଟନେସ୍ ରହିଛି। ୨୬ବର୍ଷର ପୁରୁଣା ଗାଡି କେମିତି ପାଉଛି ଫିଟନେସ୍ ସାର୍ଟିଫିକେଟ୍ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଅତିପୁରୁଣା ଏହି ଗାଡି ଚାଲିବାକୁ ପରିମିସନ ନଥିବା ବେଳେ ବସ ମାଲିକଙ୍କ ଖାମଖିଆଲ ନୀତି ଯୋଗୁ ନିରୀହଙ୍କ ଜୀବନ ଯାଇଥିବା କୁହାଯାଉଛି।
ମିଳିଥିବା ସୂଚନା ମୁତାବିକ, ରବିବାର ରାତି ପ୍ରାୟ ସାଢ଼େ ୧ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍ରେ ହସଖୁସିରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ। ଏହି ସମୟରେ ଓଏସ୍ଆରଟିସି ବସ୍ଟି ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ୧୨ ଜଣଙ୍କର ଜୀବନ ଚାଲି ଯାଇଛି।
ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।