Odisha Link
Bridging the Missing Links in Odisha

ଦିଗପହଣ୍ଡିରେ ବସ୍ ଦୁର୍ଘଟଣା: ଗଭୀର ଶୋକ ପ୍ରକାଶ କଲେ ମହାମହିମ

ଟୁଇଟ୍ କରି ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଓଏଲ୍‌ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ଜଣ ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ରାଷ୍ଟ୍ରପତି। ଟୁଇଟ୍ କରି ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି।

ଅନ୍ୟପଟେ, ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆହତଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ପ୍ରତି ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା ସହାୟତା ରାଶି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଘୋଷଣା।

ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦୁର୍ଘଟଣାର ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି। ସେହିପରି ପ୍ରତି ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଂଜାମ ଜିଲ୍ଲା ଦିଗପହଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ମହାପ୍ରଭୁ ଶୋକସନ୍ତପ୍ତ ପରିବାରଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

ମିଳିଥିବା ସୂଚନା ମୁତାବିକ, ରବିବାର ରାତି ପ୍ରାୟ ସାଢ଼େ ୧ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍‌ରେ ହସଖୁସିରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ। ଏହି ସମୟରେ ଓଏସ୍‌ଆରଟିସି ବସ୍‌ଟି ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ୧୨ ଜଣଙ୍କର ଜୀବନ ଚାଲି ଯାଇଛି।

ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.