ଆଗକୁ ୨୦୨୪ ସାଧାରଣ ନିର୍ବାଚନ: ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ
ରାଜନୀତିରେ ଯୋଗ ଦେବାକୁ ଚାକିରି ଛାଡ଼ିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଓଏଲ୍ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ଏକ ପ୍ରକାର ବଡ ଖବର ସାମ୍ନାକୁ ଆସୁଛି। ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଏୟାର ଇଣ୍ଡିଆ କ୍ୟାପ୍ଟେନ ଚାକିରି ଛାଡ଼ିଲେ ମନ୍ମଥ। ଚାକିରି ଛାଡ଼ିଥିବା ନେଇ ସୂଚନା ଦେଲେ ନିଜେ ମନ୍ମଥ। ସେ ରାଜନୀତିରେ ଯୋଗ ଦେବାକୁ ଚାକିରି ଛାଡ଼ିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଖବର ଅନୁସାରେ, ୨୦୨୪ରେ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ଚାକିରୀ ଛାଡ଼ିବାପରେ ତାଙ୍କ ଜାଗାରେ ଲଢ଼ିପାରନ୍ତି ବୋଲି କୁହାଯାଉଛି। ତେବେ କାହିଁକି ଚାକିରି ଛାଡ଼ିଲେ, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ମନ୍ମଥ। ଲୋକଙ୍କ ସେବା କରିବା ପାଇଁ ସେ ଚାକିରି ଛାଡ଼ିଥିବା କହିଛନ୍ତି। ଏ ନେଇ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିଥିବା ମନ୍ମଥ କହିଛନ୍ତି। ତେବେ ଆଗାମୀ ନିର୍ବାଚନରେ ସୁର ରାଉତରାୟ ସ୍ଥାନରେ ତାଙ୍କ ମନ୍ମଥ ରାଉତରାୟ ଲଢ଼ିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।