ସିଂହଦ୍ବାରରେ ତିନି ଠାକୁର

ଓଏଲ୍ ବ୍ୟୁରୋ: ବଡ଼ ଦେଉଳ ଆଗରେ ଠିଆହୋଇଛି ତିତି ରଥ। ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡ଼ିଛନ୍ତି ତିନି ଠାକୁର। ସଂଧ୍ୟାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ। ପ୍ରଥମେ ତାଳଧ୍ବଜ ରଥ ଏବଂ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା। ପ୍ରଶାସନ କରିଥିବା ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି।
ସେବାୟତମାନେ ସଅଳ ନୀତିକାନ୍ତି କରିଥିବାରୁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ବାର ସମ୍ମୁଖରେ ତିନି ରଥ ଠିଆ ହୋଇଛନ୍ତି। ଏବେ ସିଂହଦ୍ବାର ସାମ୍ନାରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଆସନ୍ତାକାଲି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ, ୩୦ରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହାପରେ ଜୁଲାଇ ୧ ତାରିଖରେ ଶନିବାର ନିଳାଦ୍ରୀବିଜେ କରିବେ ଶ୍ରୀଜିଉ।
ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ବାଟରେ ଅଟକିଥାନ୍ତି ରଥାରୁଢ ଠାକୁର। ମାଉସୀ ମାଆ ମନ୍ଦିର ପାଖରେ ଅଟକି ପୋଡ ପିଠା ଖାଇବା ପରେ ଶ୍ରୀ ନଅର ପାଖରେ ଅଟକନ୍ତି ଜଗନ୍ନାଥ। କାରଣ ଏଠାରେ ହୁଏ ଲକ୍ଷ୍ମୀ-ନାରାୟଣ ଭେଟ। ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଲକ୍ଷ୍ମୀ- ନାରାୟଣଙ୍କ ଭେଟ ହୋଇଛି।