ନାଚୁଥିଲେ ବରଯାତ୍ରୀ, ମାଡ଼ିଗଲା ଟ୍ରକ୍; ଚାଲିଗଲା ୫ ଜୀବନ

ଓଏଲ୍ ବ୍ୟୁରୋ: ଦୁଇ ଦିନ ତଳେ ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ନାଚି ନାଚି ଆସୁଥିବା ବେଳେ ଚଢ଼ିଗଲା ଟ୍ରକ୍। ଯାହାରିଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆହତଙ୍କ ମଧ୍ୟରୁ ୬ ଜଣ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିଲା। ହରିଚନ୍ଦନପୁର ବ୍ଲକ ମାନପୁର ଗାଁରୁ ଆସିଥିଲେ ବରଯାତ୍ରୀ। ରାତି ପ୍ରାୟ ଗୋଟାଏ ବେଳେ ବରଯାତ୍ରୀ ଦଳ ଜାତୀୟ ରାଜପଥ ଉପରେ ରୋଷଣି କରି ଆସୁଥିବା ବେଳେ ଝିଅ ଘର ଠାରୁ ମାତ୍ର କିଛି ଦୂରରେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ମଧ୍ୟରେ ବରର ପୁତୁରା ଥିବା ବେଳେ ବରଯାତ୍ରୀ ଦଳର ଜଣେ ବ୍ୟକ୍ତି ରହିଛନ୍ତି। ଏହି ଦୁର୍ଘଟଣାରେ ଷଠିଘର ସାହିର ୩ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ରବିବାର ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ଏକ ଘରୋଇ ବସ୍କୁ ଏକ ସରକାରୀ ବସ୍ ଧକ୍କା ଦେବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ମୃତକ କନ୍ୟା ପକ୍ଷର ଥିଲେ। ସେମାନେ ବାହାଘର ସାରି ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା।