ଥମୁନି ମଣିପୁର ହିଂସା, ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେବା ନେଇ ଚର୍ଚ୍ଚା
ମଣିପୁରରେ ହିଂସା ଥମୁ ନଥିବାରୁ ଇସ୍ତଫା ଦେବା ସମ୍ଭାବନା

ଓଏଲ୍ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ମଣିପୁରରେ ଗତ ୫୫ ଦିନରୁ ଅଧିକ ଧରି ହିଂସା ଲାଗିରହିଛି। ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ କିଛି ପରେ ରାଜ୍ୟପାଳଙ୍କୁ ଭେଟିବେ ମଣିପୁର ମୁଖ୍ୟମନ୍ତ୍ରୀ। ମଣିପୁରରେ ହିଂସା ଥମୁ ନଥିବାରୁ ଇସ୍ତଫା ଦେବା ସମ୍ଭାବନା ଥିବା କୁହାଯାଉଛି।
ଖବର ଅନୁସାରେ, ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସୂଚନା ରହିଛି। ସେହିଭଳି ହିଂସା ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀର ଦାମ ଯେଭଳି ଭାବେ ବୃଦ୍ଧି ପାଉଛି ତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ପେଟ୍ରୋଲ, ଏଲପିଜି, ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପୂର୍ବରୁ କହିଥିଲେ।