ଶୀଘ୍ର କରନ୍ତୁ ନିଜର ପାନ୍-ଆଧାର ଲିଙ୍କ୍, ଅଚଳ ହୋଇପାରେ ପାନ୍ ନମ୍ବର
ଜୁଲାଇ ୧ରୁ ଅଚଳ ହୋଇପାରେ ପାନ୍ ନମ୍ବର।
ଓଏଲ୍ ବ୍ୟୁରୋ: ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ଥିଲା ଏହାର ସମୟସୀମା। ଏହା ପରିବର୍ତନ ହୋଇ ଜୁନ ୩୦ ହୋଇଛି। ଯାହା ଆଜି ଶେଷ ହେବାକୁ ଯାଉଛି। ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହି ସମୟସୀମା ମଧ୍ୟରେ ପାନ୍ ସହ ଆଧାର ଲିଙ୍କ କରିପାରିବେ।
ଖବର ଅନୁସାରେ, ଆଜି ହେଉଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ। ସଂଯୋଗ ପ୍ରକ୍ରିୟା ଆଜି ସୁଦ୍ଧା ଶେଷ ନକରିଲେ ଜୁଲାଇ ୧ରୁ ଅଚଳ ହୋଇପାରେ ପାନ୍ ନମ୍ବର। ସିକ୍ୟୁରିଟିଜ୍ ମାର୍କେଟରେ ସମସ୍ତ ପ୍ରକାର କାରବାର ପାଇଁ ପାନ୍ ଏକମାତ୍ର ପରିଚୟପତ୍ର ନମ୍ବର ହୋଇଥିବାରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏହାର ନିବେଶକମାନଙ୍କୁ ପାନ୍କୁ ଆଧାର ନମ୍ବର ସହିତ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛି। ଦେଶର ପ୍ରତ୍ୟେକ ନାଗରିକ ଆଧାରକାର୍ଡ ସହ ପାନ ଲିଙ୍କ୍ କରିବାକୁ ନିଷ୍ପତ୍ତି ଶୁଣାଇଥିଲା ଆୟକର ବିଭାଗ।
ସୂଚନାଥାଉକି, ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର ସହ ପାନ୍ ଲିଙ୍କ୍ କରିବା ସମ୍ପୂର୍ଣ୍ଣ ମାଗଣା ଥିଲା। ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯେଉଁମାନେ ଆଧାର ସହ ପାନ୍ ଲିଙ୍କ କରିଛନ୍ତି ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା। ବର୍ତମାନ ତାହା ପରିବର୍ତନ ହୋଇ ୧୦୦୦ ଟଙ୍କାରେ ପହଂଚିଛି। ତେବେ ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ।