ଦିନିକିଆ ବିଶ୍ବକପ୍ ପାଇଁ ଦୁଇ ଦୁଇ ଥର ବିଶ୍ବ ବିଜୟୀ ଓ୍ବେଷ୍ଟଇଣ୍ଡିଜ ଅଯୋଗ୍ୟ
ଓଏଲ୍ ବ୍ୟୁରୋ: ଏକଦା ବିଶ୍ବ କ୍ରିକେଟରେ ଦବଦବା ଜାହିର କରୁଥିଲା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍। ଏବେ ବିଶ୍ବକପ୍ ଖେଳିବାକୁ କରୁଛି କଡ଼ା ସଂଘର୍ଷ। ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ଓ୍ବେଷ୍ଟଇଣ୍ଡିଜ୍ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଜିମ୍ବାୱେରେ ଚାଲିଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ସୁପର ସିକ୍ସରେ ଲଗାତାର ତିନି ମ୍ୟାଚ୍ରେ ପରାଜିତ ହେବା ପରେ ପୂର୍ବତନ ବିଶ୍ବ ବିଜୟୀ ଦଳ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ପୂର୍ବରୁ ଦୁଇ ଥରର ବିଜେତା ୱେଷ୍ଟଇଣ୍ଡିଜ୍ ପ୍ରଥମ ଥର ପାଇଁ ବିଶ୍ବକପ୍ ଖେଳିପାରିବ ନାହିଁ।
ପ୍ରଥମ ଦୁଇ ମ୍ୟାଚ୍ରେ ଜିମ୍ବାୱେ ଓ ନେଦରଲାଣ୍ଡ୍ସଠୁ ହାରିବା ପରେ ଶନିବାର ତୃତୀୟ ମ୍ୟାଚ୍ ଜିତିବା ୱେଷ୍ଟଇଣ୍ଡିଜ୍ ପାଇଁ ନିହାତି ଆବଶ୍ୟକ ଥିଲା। କିନ୍ତୁ ସ୍କଟଲାଣ୍ଡ ୭ ୱିକେଟ୍ରେ ଏହି ଶକ୍ତିଶାଳୀ ଦଳକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ସହ ନିଜର ଯୋଗ୍ୟତା ଆଶାକୁ ଉଜ୍ଜୀବିତ ରଖିଛି।
ଯେତେବେଳେ କ୍ରିକେଟର ଦିନିକିଆ ବିଶ୍ୱକପ ଆରମ୍ଭ ହେଲା ସେତେବେଳେ ୱେଷ୍ଟଇଣ୍ଡିଜ୍ ସବୁଠାରୁ ଘାତକ ଦଳ ଭାବେ ଉଭା ହୋଇଥିଲା। ୧୯୭୫ ଓ ୧୯୭୯ରେ ଦଳ କ୍ରମାଗତ ଦୁଇ ଥର ବିଶ୍ୱକପ ଜିତି ପୂରା ବିଶ୍ୱକୁ ନିଜର ଦବଦବା ଦେଖାଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ସେତେବେଳେ ଅନେକ ଦଳ ଡରୁ ଥିଲେ। ହେଲେ ଏବେ ସ୍ଥିତି ଏପରି ହୋଇଛି ଯେ ଦିନିକିଆ ବିଶ୍ୱକପର ୪୮ ବର୍ଷ ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜ୍କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶ୍ବକପକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଇଣ୍ଡିଜ୍ ଟିମ୍ ବିଫଳ ହୋଇଛି।