ନବୀନ ନିବାସରେ ଘନ ଘନ ବୈଠକ, କିଏ ହେବ ପରବର୍ତ୍ତୀ ବାଚସ୍ପତି?

ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ଶେଷ ଆଡ଼କୁ ହେଉ ବା ୨୦୨୪ ପ୍ରାରମ୍ଭରେ ହେବ ଓଡ଼ିଶା ବିଧାନସଭା ନିର୍ବାଚନ। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଉଭୟ ବିଜେପି ଓ କଂଗ୍ରେସଠୁ ବହୁତ ଆଗକୁ ବଢ଼ି ବିଜେଡି ଆଗାମୀ ନିର୍ବାଚନ ପାଇଁ ବିଗୁଲ ଫୁଙ୍କି ସାରିଛି। ନିକଟରେ ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା ଯେଉଁଥିରେ ଅଧ୍ୟକ୍ଷତା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ନବୀନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଜେଡି ସଙ୍ଗଠନର କିଛି ହେଭିଓ୍ବେଟ ନେତା ସାମିଲ ହୋଇଥିଲେ। ବୈଠକରେ ମୁଖ୍ୟତଃ ତିନୋଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି। ଆଗାମୀ ବାଚସ୍ପତି ଚୟନ, ଫାଙ୍କା ଥିବା ଏକ ମନ୍ତ୍ରୀ ପଦ ଓ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧି କରୁଥିବା ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ସୋମବାର ରାତିରେ ହୋଇଥିବା ବୈଠକରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ସବୁଠୁ ବଡ଼ କଥା ହେଲେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ନିକଟରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସେ ଅର୍ଥମନ୍ତ୍ରୀ ପଦରେ ଅଛନ୍ତି। ଆରୁଖ ମନ୍ତ୍ରୀ ହେବା ପରେ ବାଚସ୍ପତି ପଦ ଫାଙ୍କା ରହିଛି। ଉପବାଚସ୍ପତି ଥିବା ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି। ତେବେ ନୂଆ ବାଚସ୍ପତି କିଏ ହେବେ ସେନେଇ ସସପେନ୍ସ ଜାରି ରହିଛି। ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ସେମଧ୍ୟରୁ କେହି ବି ଜଣେ ବାଚସ୍ପତି ହେବାକୁ ମଙ୍ଗୁନଥିବା ଜଣାପଡ଼ିଛି। ବିଶ୍ବସ୍ଥ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ବାଚସ୍ପତି ପଦ ପାଇଁ ବଡ଼ମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାମ ଚର୍ଚ୍ଚା ହେଉଛି। ତେବେ ଉଭୟ ନେତା ବାଚସ୍ପତି ପଦ ପାଇଁ ଅନିଚ୍ଛୁତ ଥିବା ଜଣାପଡ଼ିଛି। ତେବେ କିଏ ହେବ ଆଗାମୀ ବାଚସ୍ପତି ତାକୁ ନେଇ ସସ୍ପେନ୍ସ ଜାରି ରହିଛି। ସୂଚନାଥାଉକି, ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ।